ଭକ୍ତ ଚରଣ ସାହୁ, ଯାଜପୁର, ୧୪ ସେପ୍ଟେମ୍ବର ୨୦୨୬
ରାତି ପାହିକି
ସକାଳ ହେଲେ
ସରଗ ଛାଡି ଯିଏ ।
ମରତେ ଆସି
ପାଇବେ ପୂଜା
ଜାଣିଛ ସିଏ କିଏ ?
ଜାଣିଛ ଯଦି କୁହ ।
ଜାଣିନ ଯଦି
କହେ ମୁଁ ସିଏ
ଦେବୀ ପାର୍ବତୀ ପୁଅ ।।
କେଡେ ସରାଗେ
ଆସିବେ ସିଏ
ମୂଷା ପିଠିରେ ବସି ।
ଦେଖିବା ତାଙ୍କୁ
ପୂଜିବା ତାଙ୍କୁ
ଆମେରେ ହସି ହସି ।।
ସିଏ ପା’ ବୁଦ୍ଧି ଦାତା ।
ଭକତି ଭରେ
ପୂଜିବା ତାଙ୍କୁ
ଥୋଇ କଲମ ଖାତା ।।
ଅଗ୍ରପୂଜ୍ୟ ସେ
ପ୍ରଭୁ ଗଣେଶ
ପାଆନ୍ତି ପୂଜା ଆଗ ।
ଗଣପତି ସେ
ଗଣ ଦେବତା
ନଥାଏ ଟିକେ ରାଗ ।।
ବିଘ୍ନକୁ କରି ଦୂର ।
ବରଷେ ଥରେ
ଆସନ୍ତି ସିଏ
ଏଇ ମରତ ପୁର ।।
ତାଙ୍କ ଆସିବା
ପାଇଁରେ ଆଜି
ଚାଲିଛି ସାଜସଜା ।
କିଏ କିଣୁଛି
ଖସାର ଲଡୁ
କିଏ କିଣୁଛି ଗଜା ।।
ବାପାଙ୍କ ସାଥେ ଯାଇ ।
ନୂଆ ପୋଷାକ
ଆଣିଲା ଡୁଗୁ
କାଲି ପିନ୍ଧିବା ପାଇଁ ।।
ପାପୁନ ଆମ
ହେଉଛି ଖୁସି
ରାତିଟି ଗଲେ ପାହି ।
ସଜ ହୋଇକି
ଶିଶୁ ମନ୍ଦିର
ଯିବରେ ସିଏ ଧାଇଁ ।।
ପୂଜିବ ଗଜାନନ ।
ଭଲ ମଣିଷ
ହୋଇବା ପାଇଁ
ପଢିବ ଦେଇ ମନ ।।
ସହର ଆଉ
ପୁର ପଲ୍ଲୀ ଠୁଁ
ଛକ ବଜାର ଯେତେ ।
ସବୁଠି ପ୍ରଭୁ
ପାଇବେ ପୂଜା
ଗହଳି ହେବ ସେତେ ।।
ଯିବାରେ କାଲି ଧାଇଁ ।
ପବିତ୍ର ମନେ
ପୂଜିବା ତାଙ୍କୁ
ଆଶିଷ ଟିକେ ପାଇଁ । ।






