ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୬ ଅକ୍ଟୋବର ୨୦୨୬
ଉତ୍କଟ ଏଠାରେ ପରା ସମସ୍ୟା ବେକାରି
ମିଳେ ନାହିଁ ଖୋଜି ଖୋଜି ଖଣ୍ଡିଏ ଚାକିରି
ନିର୍ବାଚନେ କୁହାଯାଏ ମିଳିବ ନୌକରି
ଘରୋଇ କି ଠିକା ନୁହେଁ ସମ୍ପୂର୍ଣ୍ଣ ସର୍କାରି ॥୧॥
ଚାକିରି ଲୋଭରେ ଟୋକା ଯାଆନ୍ତି ପହଁରି
ଅତଳ ସାଗରେ ଯହିଁ ଅସ୍ଥିର ଲହରି
ସମୁଦ୍ର ବକ୍ଷରେ ସେ ଏକାକୀ ନାଉରି
ସେଇଠାରେ ଥଳକୂଳ ମିଳେନି କାହାରି ॥୨॥
ନିର୍ବାଚନ ଶେଷେ ତା’ ନିଶା ଯାଏ ଉତୁରି
ମନା ହୋଇଯାଏ ତାକୁ ମନ୍ତ୍ରୀଙ୍କ କୋଠରି
ମାଡିପାରେ ନାହିଁ ପୁଣି ଦଳୀୟ ଦପ୍ତରୀ
ଚାକିରି ପାଇଁ କରେ କେତେ ହାରି ଗୁହାରି ॥୩॥
ପ୍ରତି ନିର୍ବାଚନେ ମୁଦ୍ଦା ରହେରେ ନୌକରି
ଅଗାଡିଙ୍କ ପାଇଁ ତାହା ନିହାତି ଜରୁରୀ
ବିନା ଟଙ୍କା କାରବାରେ ମିଳେନି ଚାକିରି
ବେକାରି ଜ୍ୱାଳାରେ ସିଏ ସାଜେରେ ଭିକାରି ॥୪॥






