ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୨୩ ନଭେମ୍ବର, ୨୦୨୬
ଶିରିଡି ସାଇ ୧୯୧୮ ମସିହାରେ ଇହ ଲୀଳା ସମ୍ବରଣ କଲା ବେଳକୁ କୋଟି ଜନତାଙ୍କ ହୃଦୟରେ ଜଣେ ଅବତାରି ପୁରୁଷ ଭାବେ ଆସୀନ ହୋଇ ସାରିଥିଲେ । ତାର କିଛି ଦିନ ପୂର୍ବେ ସେ ତାଙ୍କ ପରଜନ୍ମ ସମ୍ପର୍କରେ ବାବାସାହେବ୍ ଦୀକ୍ଷିତ ଙ୍କୁ କହିଥିଲେ – “ଆଠ ବର୍ଷ ପରେ ମୁଁ ପୁଣି ଜନ୍ମ ହେବି ।” ଏ କଥା ସତ ହୋଇଥିଲା ବୋଲି ଅନେକଙ୍କ ମତ । ଅର୍ଥାତ୍ ୧୯୧୮ ରୁ ଆଠ ବର୍ଷ ପରେ ୧୯୨୬ ମସିହା ନଭେମ୍ବର ୨୩ ତାରିଖରେ ଆନ୍ଧ୍ର ପ୍ରଦେଶର ଅନନ୍ତପୁର ଜିଲ୍ଲା ପୁଟ୍ଟପର୍ତ୍ତି ଗ୍ରାମରେ ଭରଦ୍ୱାଜ ଗୋତ୍ରରେ ୱାଙ୍କପା ରାଜ୍ଜୁ ଓ ତାଙ୍କ ପତ୍ନୀ ଇଶ୍ୱରାମ୍ମାଙ୍କ କୋଳ ମଣ୍ଡନ କରି ଭୂମିଷ୍ଠ ହେଲେ ଆଉ ଜଣେ “ସାଇ” । ଶୈଶବରେ ନାମ ଥିଲା ସତ୍ୟ ନାରାୟଣ। ଗାଁ ପୁଟ୍ଟପର୍ତ୍ତି, ଯାହା ଥିଲା ବାଲୁକା ପ୍ରାନ୍ତର ଅଥବା ବାଲ୍ମୀକିପୁର ଭାବେ ଜଣାଶୁଣା । ଉଇ ହୁଙ୍କାରେ ପରିପୂର୍ଣ୍ଣ ସମଗ୍ର ଅଞ୍ଚଳ। ସେଇଠି ବାଲ୍ୟ ଲୀଳା ଆରମ୍ଭ କରି ସତ୍ୟନାରାୟଣ ରାଜୁ ପ୍ରାୟ ୧୪ ବର୍ଷ ବୟସରେ ନିଜ ଅବତାରିତ୍ଵର ସନ୍ଧାନ ଦେଇ ଥିଲେ “ସତ୍ୟସାଇ” । ପ୍ରକୃତ ପରିଚୟ ଦେବାକୁ ସ୍ଵୟଂ ଆତ୍ମ ଘୋଷଣା କରି କହିଥିଲେ – “ମୁଁ ତୁମର ସତ୍ୟ ନୁହେଁ, ମୁଁ ସାଇ ବାବା ।” ପୁଣି, ପ୍ରମାଣ ଦେବାକୁ ଯାଇ ଉପସ୍ଥିତ ଗ୍ରାମବାସୀ ଙ୍କ ସମ୍ମୁଖରେ ସ୍ଵହସ୍ତରେ ଧରିଥିବା କିଛି ଫୁଲକୁ ଫିଙ୍ଗି ଦେଇ କହିଲେ – ଦେଖ । ବିଛାଡ଼ି ଦେଇଥିବା ଫୁଲ ଗୁଡ଼ିକ ଏଭଳି ସଜ୍ଜିତ ହୋଇ ପତିତ ହୋଇଥିଲା, ସକଳ ଜନତା ସ୍ତମ୍ଭିଭୂତ ହୋଇ ଯାଇଥିଲେ । କାରଣ: ତାହା ତେଲୁଗୁ ଅକ୍ଷର ରେ “ସାଇବାବା” ବୋଲି ଉଲ୍ଲେଖ ହୋଇଥିବା ସମସ୍ତେ ଦେଖିଲେ । ସେଇଦିନ ଠାରୁ ସେ ଗୃହ ତ୍ୟାଗୀ ହୋଇ “ସାଇ” ନାମରେ ପରିଚିତ ହୋଇଥିଲେ । ପରେ ପ୍ରେମାବତାର ସତ୍ୟସାଇ ରୂପେ ବିଶ୍ଵ ବନ୍ଦିତ ହୋଇ ଥିଲେ । ବିଶ୍ବର କୋଣ ଅନୁକୋଣର କୋଟି କୋଟି ଭକ୍ତଙ୍କୁ ନିଜର ଅନୁଗାମୀ କରାଇ ପାରିଥିଲେ ।

**************
୧୦୧ ତମ ସତ୍ୟସାଇ ଜୟନ୍ତୀ ଉପଲକ୍ଷେ –
**************
ଯୁଗେ ଯୁଗେ ମାନବ ସମାଜକୁ ଦୁର୍ଦ୍ଦିନ, ଦୁଃଖ, ଦୁର୍ଦ୍ଦଶାରୁ ରକ୍ଷା କରିବା ଲାଗି ଧରା ପୃଷ୍ଠରେ ଅବତାର ନିଅନ୍ତି ଈଶ୍ୱର । ସମାଜରୁ ଅନ୍ୟାୟ, ଅତ୍ୟାଚାର, ପାପ ର ବିନାଶ ପାଇଁ, ସଂସାର ରେ ସତ୍ୟ, ନ୍ୟାୟ, ଧର୍ମ ଓ ପ୍ରେମର ପ୍ରତିଷ୍ଠା ପାଇଁ ଜନ୍ମ ଗ୍ରହଣ କରନ୍ତି ସାଧୁ-ସନ୍ୟାସୀ-ମହାପୁରୁଷ ହୋଇ। ସେମିତି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ / ଆଭିମୁଖ୍ୟ ନେଇ ଅବତାର ନେଇଥିଲେ ଶ୍ରୀ ସତ୍ୟସାଇ । ମାନବ ସେବା ଭଳି ଧର୍ମ ପାଳନ କରିବା ଏବଂ ପ୍ରେମର ବାର୍ତ୍ତା ବାଣ୍ଟିବା ତାଙ୍କ ଏହି ସାଇ ଅବତାରର ଏକମାତ୍ର ଉଦ୍ଦେଶ୍ୟ ଥିଲା ବୋଲି ବିଶ୍ୱାସ କରାଯାଏ ।
ସତ୍ୟ, ଶାନ୍ତି, ଧର୍ମ ଓ ପ୍ରେମର ମହମନ୍ତ୍ରରେ ମାନବ ଜୀବନକୁ ପରିପୁଷ୍ଟ କରାଇବା ଲାଗି ସତ୍ୟସାଇ ଯେଉଁ ସବୁ ସନ୍ଦେଶ ଦେଇ ଯାଇଛନ୍ତି, ତାହା ତାଙ୍କ ଦେହାବସାନ ପରେ ମଧ୍ୟ ସାଇ ଆଶ୍ରମ “ପ୍ରଶାନ୍ତି ନିଳୟମ୍” ରୁ ପ୍ରଚାରିତ ଓ ପ୍ରସାରିତ ହୋଇଆସୁଛି, ଯାହାକି ଯୁଗ ଯୁଗ ପାଇଁ ସମାଜକୁ ଆଲୋକର ପଥ ନିର୍ଦ୍ଦେଶ କରୁଛି । ସାଇ ତାଙ୍କ ଆସ୍ଥାନ ଆବାସ ର ନାଁ ଦେଇଥିଲେ “ପ୍ରଶାନ୍ତି ନିଳୟମ୍” । ଅନ୍ୟ ଭାବରେ ବିଚାର କଲେ – ଯେଉଁଠି ରହନ୍ତି ସତ୍ୟ, ସେ ସ୍ଥାନ ପରମ ଶାନ୍ତିରେ ଭରିଯାଏ । ଅର୍ଥାତ୍ “ସତ୍ୟ”କୁ ଆସ୍ଥାନ ଦେଲେ ତାହା ପାଲଟି ଯାଏ ପ୍ରଶାନ୍ତି ର ଆଶ୍ରୟ ସ୍ଥଳ । ବାସ୍ତବ ରେ ସତ୍ୟାଶ୍ରୟୀ ବ୍ୟକ୍ତି ର ହୃଦୟ ସଦା ପ୍ରଶାନ୍ତି ର ପୁଲକ ଅନୁଭବ କରେ । ଏହି ଉଦ୍ ଘୋଷଣା ହିଁ ପ୍ରଶାନ୍ତି ନିଳୟମ ରୁ ସାଇଙ୍କ ଅମୀୟ ସନ୍ଦେଶ । ଜଣେ ମିଛ କଥା କହୁଥିବା ଲୋକଟି ଥରେ ସତ କହିଦେଲେ ମନର ଦୁଃଖ ଲାଘବ ହୁଏ, ଭାରାକ୍ରାନ୍ତ ମନ ଆଶ୍ୱସ୍ତି ଲଭେ। ହୃଦୟ ରେ ଆପେ ଶାନ୍ତି ଅନୁଭୂତ ହୁଏ । ତେଣୁ, ମଣିଷ ପ୍ରଥମରୁ ହିଁ ସତ୍ କହିବା, ସତ୍ୟ ପଥରେ ଚାଲିବା ଜୀବନ ର ସର୍ବଶ୍ରେଷ୍ଠ ଧର୍ମ ବୋଲି ପ୍ରଶାନ୍ତି ରୁ ଝରିଆସେ ସାଇ ସନ୍ଦେଶ ।
ସତ୍ୟସାଇଙ୍କୁ ପ୍ରଶାନ୍ତି ର ଅଧିପତି ବୋଲି ତାଙ୍କ ଅନୁଗାମୀ ଶ୍ରଦ୍ଧାଳୁ ମାନେ ବିଶ୍ୱାସ କରନ୍ତି । ଆଜିକାଲି ଅଶାନ୍ତି, ଅତୃପ୍ତି ର କରାଳ ଛାୟା ସମଗ୍ର ସଂସାରକୁ ଆଚ୍ଛାଦିତ କରି ରଖିଛି, ଆଉ ସେଥିରୁ ମୁକୁଳିବାକୁ ସତ୍ୟାଶ୍ରୟ ହିଁ ଏକମାତ୍ର ପନ୍ଥା । ସଂପ୍ରତି ମଣିଷ ନିଜର କଥାବାର୍ତ୍ତା, କାର୍ଯ୍ୟକଳାପ, ଆଚାର ବିଚାରରେ ଯେଉଁ ପରମ ଶାନ୍ତି ଟିକକ ଖୋଜୁଛି, ତାହା ତାର ଦୈନନ୍ଦିନ ଜୀବନ ଚର୍ଯ୍ୟା ଅବା ଐକାନ୍ତିକ କାମନାରେ ଉପଲବ୍ଧ ହୋଇ ପାରୁନାହିଁ କାହିଁକି ? ତାହାର ଏକ ମାତ୍ର କାରଣ ଟି ହେଲା : ତାର ମନ, ବଚନ ଓ କର୍ମ ସୁସଂଗଠିତ ହୋଇନାହିଁ ।
ସିଦ୍ଧି ପାଇଁ ସାଧନାର ଆବଶ୍ୟକତା ଯେମିତି; ଶାନ୍ତି ପାଇଁ ସତ୍ୟ ର ଅନୁସରଣ ସେମିତି ହିଁ ଦରକାର । ସନ୍ମାର୍ଗ ର ସନ୍ଧାନ ନିମିତ୍ତ ସଦ୍ ଗୁରୁଙ୍କ ଶରଣ ନେବା ଜରୁରୀ । ତାଙ୍କ ବାଣୀ, ବାର୍ତ୍ତା, ସନ୍ଦେଶ କୁ ସ୍ମରଣ, ଚିନ୍ତନ ଓ ମନନ କରିବା ବିଧେୟ । ଲୋଭ, ମାୟା ଓ ମୋହ ର ଭୌତିକ ଭାବନା ମନରୁ ପରିହାର କରିପାରିଲେ; ପାର୍ଥିବ କାମନା, ବାସନାରୁ ନିଜକୁ ମୁକ୍ତ ରଖିପାରିଲେ; ଆଧ୍ୟାତ୍ମିକ ଉତ୍ତରଣ ଆରମ୍ଭ ହୁଏ । ଧାର୍ମିକ ଚିନ୍ତା ମଣିଷ ମନକୁ ଦ୍ରବିଭୂତ କରିଥାଏ । ସେଥିପାଇଁ କୁହାଯାଇଛି – ମାନବ ର ଧର୍ମ, କର୍ମ, ଈଶ୍ୱର ବିଶ୍ୱାସ, ଆଧ୍ୟାତ୍ମିକ ଅନୁଚିନ୍ତା, ଆତ୍ମ ଜ୍ଞାନ ସବୁ ସ୍ପଷ୍ଟ ଭାବେ ଅପରର ସେବା ପାଇଁ ଉଦ୍ଦିଷ୍ଟ। ଏହି ପରିପ୍ରେକ୍ଷୀରେ ସତ୍ୟ ସାଇ ଙ୍କ ଜୀବନାଦର୍ଶ ବିଶେଷ କରି ତାଙ୍କ ଜନସେବା ସମଗ୍ର ବିଶ୍ୱରେ ବିରଳ । ଜୀବନକୁ ଯନ୍ତ୍ରବତ୍ ପରିଚାଳିତ ନକରି, ସତ୍ୟ – ଶାନ୍ତି – ଧର୍ମ – ପ୍ରେମର ପରିମାପକରେ ନିଜକୁ ତଉଲି ତଦନୁଯାୟୀ ନିୟନ୍ତ୍ରଣରେ ରହି ସ୍ଵୟଂ ସ୍ଵକର୍ମରେ ନିୟୋଜିତ ହୋଇ ପାରିଲେ ମାନବ ଜୀବନ ହୁଏ ସାର୍ଥକ, ଆଉ ପରିପୂର୍ଣ୍ଣ ହୁଏ ଜୀବନ ର ଲକ୍ଷ୍ୟ ।
ସତ୍ୟ କଥନ, ଶାନ୍ତ ସ୍ଵଭାବ, ଧର୍ମ ଆଚରଣ ଓ ପ୍ରେମର ପରିଭାଷା ରେ ଜୀବନଚର୍ଯ୍ୟା ହିଁ ଇଶ୍ୱରଙ୍କ ଆଡ଼କୁ ମଣିଷର ସଫଳ ଅଭିଯାତ୍ରା । ଏହାହିଁ ପ୍ରଶାନ୍ତି ରୁ ସାଇ ସନ୍ଦେଶ ।






