• About
  • Contact
Monday, December 1, 2025
Monday, December 1, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଝାରସୁଗୁଡ଼ା କାଉଣ୍ଟଡାଉନ୍ …

ଝାରସୁଗୁଡ଼ା କାଉଣ୍ଟଡାଉନ୍ …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୧ ମଇ ୨୦୨୩

ଝାରସୁଗୁଡ଼ା ଉପନିର୍ବାଚନର ଭୋଟଦାନ ଶେଷ ହୋଇଛି । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ୨୫୩ ଟି ବୁଥ୍ ରେ ୭୮.୭ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ଫଳାଫଳ ଆସିବା ପୂର୍ବରୁ ରାଜନୈତିକ ଦଳ ଓ ନେତାମାନେ ଜିତିବା ହାରିବାରେ ବୟାନବାଜି ଆରମ୍ଭ କରିଦେଇଛନ୍ତି । ଶାସକ ଦଳର ଏକାଧିକ ଆକଳନ ସାମ୍ନାକୁ ଆସିଛି । ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ଦୀପାଳି ଦାସ ୫୦ ହଜାରରୁ ଅଧିକ ଭୋଟରେ ଜିତିବେ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି । ସେହିପରି ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ସିଧାସଳଖ ଭାବେ ଭୋଟ ବ୍ୟବଧାନ ନକହିଥିଲେ ବି ବିପୁଳ ଭୋଟରେ ବିଜେଡି ଜିତିବ ବୋଲି ସୂଚନା ଦେଇଛନ୍ତି । ଗଣମାଧ୍ୟମ ପ୍ରତିନିଧି ମାନେ ବିପୁଳ ଭୋଟ ଅର୍ଥ କେତେ ବୋଲି ପ୍ରଶ୍ନ କରିବାପରେ ସେ ୩୦ ହଜାରରୁ ଅଧିକ ଭୋଟ ବ୍ୟବଧାନ ହୋଇପାରେ ବୋଲି କହିଛନ୍ତି ।

ଅପରପକ୍ଷେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ମଧ୍ୟ ଫଳାଫଳ ସେମାନଙ୍କ ସପକ୍ଷରେ ଯିବାର ସମ୍ଭାବନା ରହିଛି ବୋଲି କହିଛନ୍ତି । ବିଜେପି ନେତା ଦିଲ୍ଲୀପ ମଲ୍ଲିକ ଏହି ଉପନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯିବ ବୋଲି କହିଥିବା ବେଳେ କଂଗ୍ରେସ ସଭାପତି ଏହି ଉପନିର୍ବାଚନରେ କଂଗ୍ରେସ ଅଳ୍ପ ବ୍ୟବଧାନରେ ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଉପନିର୍ବାଚନରେ ଲଢ଼େଇ ୩ ଦଳ ମଧ୍ୟରେ ଜୋରଦାର ହୋଇଛି ବୋଲି ପିସିସି ସଭାପତି ନିଜେ ସ୍ୱୀକାର କରିଛନ୍ତି । ଭୋଟଦାନ ପ୍ରତିଶତକୁ ଦେଖିବା ପରେ ଶାସକ ଦଳ ଏହାର ଫଳାଫଳ ନିଜ ସପକ୍ଷରେ ଯିବାର ଯୁକ୍ତି ଦର୍ଶାଇଥିବା ବେଳେ ବିରୋଧୀ ଦଳ ମାନେ ମଧ୍ୟ ଏହା ଶାସକ ଦଳ ବିରୋଧରେ ଯିବ ବୋଲି କହିଛନ୍ତି ।

ତେବେ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଭୋଟ ପ୍ରତିଶତ ଅପେକ୍ଷା, ବୁଥ୍ ମ୍ୟାନେଜମେଣ୍ଟ ହିଁ ଫଳାଫଳ ନିର୍ଣ୍ଣୟ କରିବାରେ ଅଧିକ ସାହାଯ୍ୟ କରିଥିବ।

ପ୍ରଚାର ଓ ରଣନୀତି ଅନୁଯାୟୀ ଶାସକ ବିଜେଡି ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ଠାରୁ ଯଥେଷ୍ଟ ଆଗରେ ରହିଥିଲା । ଏପରିକି ଭୋଟ ଗ୍ରହଣ ପୂର୍ବଦିନ ପର୍ଯ୍ୟନ୍ତ ଶାସକ ଦଳର ନେତାମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ସକ୍ରିୟ ଥିବାର ଖବର ମଧ୍ୟ ମିଳିଥିଲା । ପଦ୍ମପୁର ଉପନିର୍ବାଚନ ପରି ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟ ଏଠାରେ ଦେଖିବାକୁ ମିଳିନଥିଲା । ଓଡ଼ିଶାର ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଅନ୍ୟକୌଣସି କେନ୍ଦ୍ରମନ୍ତ୍ରୀ ଏଥର ପ୍ରଚାର ମଇଦାନକୁ ଆସିନଥିଲେ । ଏପରିକି ନିଜକୁ ଅଧିକ ସକ୍ରିୟ ଓ ଲୋକପ୍ରିୟ ନେତାବୋଲି ବିଚାର କରୁଥିବା ବିଜେପିର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଅନ୍ୟକିଛି ନେତାଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଳିନଥିଲା । କଂଗ୍ରସ ପକ୍ଷରୁ ପ୍ରଚାର ଜୋରଦାର କରାଯାଇଥିଲେ ମଧ୍ୟ ଗଣମାଧ୍ୟମ ଗୁଡ଼ିକରେ କଂଗ୍ରେସର ପ୍ରଚାର ଓ ରଣନୀତି ବାବଦରେ ଅଧିକ ଖବର ଭୋଟରଙ୍କ ନିକଟକୁ ଯାଇପାରିନାହିଁ ।

ପ୍ରଚାର ରଣକୌଶଳ ଓ ବୁଥ୍ ମ୍ୟାନେଜମେଣ୍ଟରେ ଆଗୁଆ ଥିବା ଶାସକ ବିଜେଡି ପଶ୍ଚିମ ଓଡ଼ିଶାର ସମସ୍ତ ନେତାଙ୍କୁ ଏକାଠି କରି ଏହି ନିର୍ବାଚନ ଲଢ଼ିବାର ଦେଖାଯାଇଛି । ସୁଶାନ୍ତ ସିଂହଙ୍କ ଅନୁପସ୍ଥିତି କଥା କିଛି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲେ ବି ଦଳ ତାଙ୍କୁ ମଧ୍ୟ ଏହି ଉପନିର୍ବାଚନରେ ସାମିଲ କରିଛି । ବିଜେଡି ପାଇଁ ବିଜୟ ବ୍ୟବଧାନ ଯେତିକି ଗୁରୁତ୍ୱପୂର୍ଣ୍ଣ ବିଜେପିର ନବନିଯୁକ୍ତ ସଭାପତି ମନମୋହନ ସାମଲଙ୍କ ପାଇଁ ମଧ୍ୟ ଏହି ଫଳାଫଳ ସେତିକି ଗୁରୁତ୍ୱ ରଖିବ । ୨୦୨୪ ପୂର୍ବରୁ ଏହି ଫଳାଫଳ ୩ଟି ରାଜନୈତିକ ଦଳର ପ୍ରସ୍ତୁତି ଉପରେ ରାଜ୍ୟବାସୀଙ୍କୁ ଯଥେଷ୍ଟ କିଛି ସଂକେତ ଦେବ ।

Nirvik Bureau

Nirvik Bureau

Related Posts

ଓଡ଼ିଶା ବିଜେପି ଓ ଘୋଡ଼ା-ଯୋଡ଼ାର ଲଢ଼େଇ…
Politics

ଓଡ଼ିଶା ବିଜେପି ଓ ଘୋଡ଼ା-ଯୋଡ଼ାର ଲଢ଼େଇ…

by Nirvik Bureau
November 23, 2025

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୩ ନଭେମ୍ବର ୨୦୨୫ ଓଡ଼ିଶାରେ ବିଜେପି ସରକାର ଗଠନ କରିବାରେ ୧୫ମାସ ବିତିଗଲାଣି। ବିଜେପିର ରାଜ୍ୟ ସଙ୍ଗଠନ ବି ନିଜକୁ ଶାସନ...

Read more
ନୂଆପଡ଼ାରୁ ସଂକେତ…..

ନୂଆପଡ଼ାରୁ ସଂକେତ…..

November 17, 2025
The Political Messages from Nuapada

The Political Messages from Nuapada

November 15, 2025
କାହାର ହେବ ନୂଆପଡ଼ା ?

କାହାର ହେବ ନୂଆପଡ଼ା ?

November 11, 2025
Sabotage Within BJD!  Happy Birthday, Naveen Patnaik!

Sabotage Within BJD!
Happy Birthday, Naveen Patnaik!

October 16, 2025
ଦାୟୀ କିଏ ?

ଦାୟୀ କିଏ ?

October 7, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.