• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅକ୍ଷୟ

ଅକ୍ଷୟ
Share on FacebookShare on Xshare on Whatsappshare on Linkedin
ଗୀତାଞ୍ଜଳି କର, କଟକ, ୧୦ ମଇ ୨୦୨୪

ନିରୀହ ଆଖି ଦୁଇଟା ଜଳ ଜଳ କରି ଚାହିଁ ରହିଥିଲା ଶ୍ୟାମଳୀର l ଅବସାଦ ଭରା ମନଟାରେ କେତେବେଳେ ଶାନ୍ତି ନାହିଁ l କେବେହେଲେ ଶ୍ୟlମଳୀର ମନକୋଣକୁ ବୁଝିଲେନି ଶାଶୁ ପ୍ରଭାତୀ l ପ୍ରତିକ୍ଷଣରେ ଦୃଢ଼ ଗIମ୍ଭୀର୍ଯ୍ୟତାର କଥାଗୁଡିକ ଶୁଣି ଶୁଣି ବିରକ୍ତ ଲାଗିଲାଣି l ଏମିତିରେ କାହା ପାଇଁ ମୂଲ୍ୟବାନ ସାବ୍ୟସ୍ତ ହେଉଛି l ରାତି ପାହିଲେ ନିଜ ସ୍ୱାର୍ଥ ପାଇଁ ଲଢ଼ିବାଟା କେତେଦୂର ସମିଚୀନ? ଭଲ ଦିନ ମାନଙ୍କରେ ସକାଳୁ ଝେ.. ଝେ କରିବା ଗୋଟେ ଅଭ୍ୟାସ ତାଙ୍କର l ନାରୀର ସୁଲଭ ଲକ୍ଷଣ ଏଇଆ? ଭୁଲ ଯଦି ହୋଇଯାଇଛି ତାକୁ ସୁଧାରି ହେବନିକି l କହୁଛିତ ଗ୍ୟାସ ପୋଛାପୋଛି କରି ଭଲରେ କରିଦେବି l ଅକ୍ଷି ତୃତୀୟାରେ ସକାଳୁ ସାପ ପଶିଲା ପରି ଘରଟାକୁ ପକାଉଛନ୍ତି ଉଠାଉଛନ୍ତି ! ଏଇସବୁ କଥା ଶ୍ୟାମଳୀ ମନ ମଧ୍ୟରେ ଭାବୁ ଭାବୁ ଗ୍ୟାସରେ ବସିଥିବା ଚା ହୋଇଯାଇଥିଲା l ଏଇସମୟରେ ବିବେକ ଚାଲିଆସି କହିଲେ କଣ ଏତେ ଡେରି କାହିଁକି କରୁଛୁ?ଶ୍ୟାମଳୀ ଆଖିରୁ ଲୁହ ଗଡି ଯାଉଥିଲା l

ଶ୍ୟାମା….! ତୁ କାନ୍ଦୁଛୁ? ଉଁ… ନାଁ ତ କାନ୍ଦୁନି ହସୁଛି l ମୋ କାନ୍ଦ ମୋ ହସ ସବୁ ତୁମ ଏରୁଣ୍ଡି ବନ୍ଧରେ ବାନ୍ଧି ହୋଇଛି l ମୁଁ କାନ୍ଦିଲେ କି ହସିଲେ କାହାର କଣ ଯାଉଛି l ଶ୍ୟାମା କଣ ହୋଇଛି l ବୋଉ ତ ସେଇପରି l ତା କଥା ମନରେ ଧରନା l ହେଲେ ମୁଁ ପାରୁନି l ଏତେ ମଞ୍ଜଟାଣ କଥା!ପ୍ରଭାତୀ ଧମ ଧମ ହୋଇ ଆସି କହିଲେ ହୁଁ ଚାଲିଛି ସ୍ୱାମୀ କାନରେ ମନ୍ତ୍ରଣା l ବିବେକ ତୋର ଶୁଣିବାକୁ ଯଦି ଅଛି ମୋଠାରୁ ଶୁଣ l ବିବେକ ବିରକ୍ତ ହୋଇ କହିଲେ ଥାଉ ବୋଉ ମୁଁ ଶୁଣିଛି l ଏବେ ତୋର କହିବା ଅନୁଯାଇ ସେ କରିଦେବ l ତୁ ବ୍ୟସ୍ତ ହୁଅନା l ବ୍ୟସ୍ତ ହେବିନି କାହିଁକି l କାଲିଠାରୁ ତାକୁ କହିଛି l ଅରୁଆ ଭାତ, ଡାଲମା, ଖଟା, ଖିରି କରିଦେବୁ l ଏତେ ଶୀଘ୍ର ସବୁ ଭୁଲିଯାଉଛି l ଆଉ ସବୁ କଥା ଭାରି ମନେ ରଖୁଛି l ଲୋକ ଅକ୍ଷୟ ତୃତୀୟାରେ ପୁଣ୍ୟ ଅର୍ଜନ କରିବାକୁ ମନ ବଳାନ୍ତି l ଆଜି ଦିନରେ ଯାହା କରିବ ତାହା କ୍ଷୟ ହେବ ନାହିଁ l ବିବେକ ହଉ ଚାଲିଲୁ ଚା ପିଇବା l ମାଆ ପୁଅ ଚା ଧରି ପଳେଇଲା ପରେ ଶ୍ୟାମା ଆଶ୍ୱସ୍ତ ହେଲା l ବିବେକର ଏଇ ଗୁଣ ପାଇଁ ମୁଁ ଏଘରେ ବଞ୍ଚି ରହିଛି ବୋଲି ଶ୍ୟାମା ପ୍ରକୃତିସ୍ଥ ହେଲା l ଶାଶୁଙ୍କ କହିବା ଅନୁଯାଇ ଫ୍ରିଜରୁ ପରିବା କାଢି କାଟି ବସିଲା l ହେଲେ ମନରୁ ଶାଶୁଙ୍କ ଟାଣ କଥା ଦୁଇପଦ ପାସୋରି ପାରୁନଥିଲା l ରାତିପାହିଲେ ମୋ ବାପା ବୋଉଙ୍କର ଦୋଷ ଦେଖିବାଟା କେତେ ବାସ୍ତବ l ମୋ ଭୁଲ ପାଇଁ ସେମାନଙ୍କୁ ଦୋଷ ଦେବା କି ଦରକାର l କେତେ ଚିହ୍ନିଛନ୍ତି ମୋ ଘର ଲୋକଙ୍କୁ ମୁଁ ବୁଝିପାରୁନି l ସେମାନଙ୍କ ଭକ୍ତି ଭାବକୁ କେତେ ପରିମାଣରେ ମୋ ଶାଶୁ ପରଖିଛନ୍ତି!ପ୍ରତି କଥାରେ କହି ଜାଣନ୍ତି ଶାଶୁ ହେଉଛି ଶୃଙ୍ଖଳିତ ଶାସନର ଅଧିକାରିଣୀ l ପରିବାରରେ ସମସ୍ତେ କର୍ମ କର୍ତ୍ତବ୍ୟ ପ୍ରତି ସଚେତନ ରହିଲେ ସ୍ୱର୍ଗ ପାଲଟିଯାଏ l ଏସବୁକୁ ଲକ୍ଷ୍ୟ ରଖି ନ ପାରିଲେ ପରିବାର ଆଉ ପରିବାର ପଦବାଚ୍ୟ ରହେନି l ଯେଉଁ ଘରେ ମୁରବୀର ସମ୍ମାନ ହାନି ହୁଏ ସେ ଘର ନର୍କ ତୁଲ୍ୟ l ତେବେ ମଣିଷ ନିଜର ଦାୟିତ୍ୱ ଓ କର୍ତ୍ତ୍ୟବ ସମ୍ବନ୍ଧରେ ଅବଗତ ନ ହୋଇ ଅନ୍ୟ ଉପରେ ପ୍ରଭୂତ୍ବ ବିସ୍ତାର କରିବା ଭଲ ନୁହେଁ ବୋଉ କୁହନ୍ତି l ହେଲେ ବୋଉ ଆଦର୍ଶ ଭଲଭାବେ ଜଣେଇ ଥାନ୍ତି କିନ୍ତୁ ପାଳନ କରିପାରନ୍ତିନି l

ପରିବା କାଟୁ କାଟୁ ଶ୍ୟାମlର ଗାଁ ସ୍ମୃତିସବୁ ଉଜ୍ଜୀବିତ ହୋଇଉଠିଲା l ଆଃ କି ସୁଖଦ ସ୍ମୃତି!ରାତି ପIହିଥିବ କି ନାହିଁ ଜେଜେବାପା କୁହାଟ ମାରନ୍ତି ଆରେ ନୀଳ ଉଠିଯାଆ l ଖରା ପଡ଼ିଯିବ l ଅଖିମୁଠି ବୁଣି ଦେଇ ଶୀଘ୍ର ପଳେଇ ଅସିବା l ବଡବାପା ଭାରି କର୍ମବୀର ଓ ଚଞ୍ଚଳିଆ l ବିଲ ବାଡ଼ି ହିସାବ, ହଳ ମୂଲିଆ, କୋଠିଆ ଦାୟିତ୍ୱ ସେ ବୁଝନ୍ତି l ବାପା ଚାକିରୀ କରୁଥିଲେ l ଏତେ ଚଞ୍ଚଳିଆ ନୁହନ୍ତି କି ସକାଳୁ ଉଠିପାରନ୍ତି ନାହିଁ l ତା ଛଡା ସାନ ପୁଅ ହେତୁ ତାଙ୍କୁ କେହି ଦାୟିତ୍ୱ ଦେଉ ନ ଥିଲେ l ଯାହା ହେଉ ବିଲରେ ଅଖିମୁଠି ବୁଣା ସରିଲେ ପଣା ପାଣି ପିଇ ସମସ୍ତେ ଘରକୁ ଫେରୁଥିଲେ l ବୈଦିକ ବିଧାନ ଅନୁସାରେ ଗୃହକର୍ତ୍ତା ଜେଜେବାପା କର୍ମ ତତ୍ପର ହୋଇ ଚାଷ ଅନୁକୂଳ ଲାଗି ଅକ୍ଷିମୁଠି ବୁଣି ଥାନ୍ତି ଓ ନିମନ୍ତ୍ରଣ ଦେଇଥାନ୍ତି ଗ୍ରାମଦେବତୀ ପାଖରେ ସମସ୍ତଙ୍କୁ ପ୍ରସାଦ ସେବନ ପାଇଁ l ଅତି ଆନନ୍ଦ ଉଲ୍ଲାସରେ ସେଦିନ କଟିଯାଏ ଆମମାନଙ୍କର l

ଶାସ୍ତ୍ର କହେ ଜ୍ୱାଇଁ ଖୋଜିବତ ପୁଅର ବାପା, ଜେଜେବାପା, ଅଜା ସମ୍ବନ୍ଧରେ ବୁଝିବ l ବୋହୂଟିଏ କଲେ ଝିଅର ମାଆ ଆଈ ସମ୍ବନ୍ଧରେ ବୁଝିବ l ତେଣୁ ମୋ ଜେଜେବାପା ଙ୍କ ସଂସ୍କାର ପାଇ ମୋ ବାପା,ବଡବାପା ପ୍ରତିପାଳିତ l ବାପା ମୋର ସହରରେ ରହି ମଧ୍ୟ ଆମ ସଂସ୍କୃତି ପରମ୍ପରାକୁ ଭୁଲି ନ ଥିଲେ l ମୋ ବୋଉ ଅକ୍ଷୟତୃତୀୟାରେ ଦହିଭାତ ଜଗନ୍ନାଥଙ୍କୁ ସମର୍ପଣ କରେ l ବାପା କୋଉ ମଠ ଅଥବା ମନ୍ଦିରରେ ଛତୁଆ, ଫଳ, ଦହିପାଣି ବାଣ୍ଟିବାକୁ ଚାଲିଯାଆନ୍ତି l ସକାଳୁ ଉଠି ଶୁଭ ଚିନ୍ତାଧାରା ଓ ସଂକଳ୍ପ ମନୁଷ୍ୟକୁ ମହାନ କରିଥାଏ l ଏଇସବୁ ସୁକର୍ମ ଅକ୍ଷୟ ତୃତୀୟାରେ ଅକ୍ଷୟ ପୁଣ୍ୟ ପ୍ରଦାନ କରିଥାଏ l ଶାଶୁଙ୍କର ଏଥିରେ ଲକ୍ଷ୍ୟ ନାହିଁ l ମୁଣ୍ଡ ଧୋଇ ଅରୁଆ ଡାଲମା ଖିରି ତରକାରୀ ଭୁରିଭୋଜନ କରିଦେଲେ ଯେ ପୁଣ୍ୟ ହୋଇଯାଏ କୋଉଠି ଲେଖା! ରାତି ପାହିଲେ ପର ଚିନ୍ତନରେ ମନ ଦେଇ ଠାକୁରଙ୍କ ପୂଜା ଅର୍ଚନା କରିବାଟା ହାସ୍ୟାସ୍ପଦ ନୁହେଁ କି? ଆସିଲା ଦିନଠାରୁ ମୋ ପରିବାରକୁ କାହିଁକି ଶୋଧା ଦିଅନ୍ତି ମୁଁ ବୁଝିପାରେନା l

କଥାରେ ଅଛି ଫଳନ୍ତି ଗଛକୁ ଢେଲା ପଥର l ମୁଁ କୌଣସି କଥାରେ ବିଶେଷ ପ୍ରତିବାଦ କରେନି l ତେଣୁ ମୋତେ ମୋ ବଂଶ ଆଭିଜାତ୍ୟକୁ ପାଦରେ ଦଳା ଯାଉଛି l ବୋଉ ପ୍ରତ୍ୟେକ କଥାରେ ନଥା ବାହାର କରନ୍ତି ବୋଲି ସବୁ ବନ୍ଧୁ ବାନ୍ଧବ, ପୁଅ ବୋହୁ, ଝିଅ ଜ୍ୱାଇଁ ଜାଣନ୍ତି l ଭିତରେ ବିରକ୍ତ ମଧ୍ୟ ହୁଅନ୍ତି l ବଡ଼ ନଣନ୍ଦ ଥରେ କହୁ କହୁ କହିଦେଲେ ବୋଉ ତୁ ଶାଶୁ ଶଶୁର ଦିଅର ନଣନ୍ଦରେ ଚଳିନୁ l ପ୍ରଥମରୁ ବାପା ତୋତେ ସମସ୍ତ ସୁଖ ସୁବିଧା ଦେଇଦେଲେ ତ ସେଥିପାଇଁ ଏଇଭଳି ହଉଛୁ l କାହିଁକି ତୋର ଘୃଣ୍ୟ ଚିନ୍ତାଧାରା ସମସ୍ତଙ୍କ ଉପରେ ଲଦୁଛୁ? ବୋଉ କହନ୍ତି ପାଗଳ ଲୋକଟା ତୋତେ କଣ କହିବି l ନଣନ୍ଦ ମୁହଁ ବୁଲାଇ ଚାଲିଯାଆନ୍ତି l କାହାର ଦୂରଭାଷର ସଂଗୀତ ଭାସିଆସିଲା l ଶ୍ୟାମା ନିଜକୁ ଚିନ୍ତାମଗ୍ନରୁ କାଢ଼ିଆଣିଲା l ଇଏତ ବୋଉଙ୍କ ପାଇଁ ଆସିଛି l କଥାବାର୍ତ୍ତାରୁ ଜଣାଗଲା ସାନ ନଣନ୍ଦ ଫୋନ କରିଛନ୍ତି l ବୋଉ ମୋରି ବିଷୟକୁ ବଖାଣୁ ଥିଲେ l ସିଏ କମ ନୁହନ୍ତି l ବଡ଼ ନଣନ୍ଦଙ୍କ ବୁଝିବା ଶକ୍ତି ବହୁତ ଉଚ୍ଚରେ l ସେ କାନ କୁହା କଥାକୁ ସାଙ୍ଗେ ସାଙ୍ଗେ କିଛି ରାୟ ଦିଅନ୍ତି ନାହିଁ l ମିଷ୍ଟଭାଷୀ ଓ ଉଚ୍ଚମନକୁ ସମସ୍ତେ ଭଲ ପାଆନ୍ତି l ମାଆର ଷୋଳକଳlକୁ ଛଡେଇ ଆଣିଛି ସାନ ଝିଅ ବୋଲି ସମସ୍ତେ କହନ୍ତି l କଥାରୁ ଜଣାଯାଉଥିଲା ସାନ ନଣନ୍ଦ ସେପଟରୁ ନିଜ ଆତ୍ମବଡ଼ିମା ଜଣାଉଥିଲେ ଆଉ ବୋଉ ମୋତେ ଦେଖେଇ ପୀଡ଼lଦାୟକ କଥା କହୁ ଥିଲେ l ଓଃ.. ଟିକିଏ ଭୁଲ ପାଇଁ ସମସ୍ତଙ୍କୁ ଘୁରି ଘୁରି ଏବେ କହିବେ l ପର ଝିଅ ବୋଲି ସମବେଦନା ଟିକେ ନାହିଁ l ଛାଡ଼ ଏମିତି ପନ୍ଦର ବର୍ଷ ବିତିଗଲାଣି l ଯାହା କରୁଛନ୍ତି କରନ୍ତୁ l ମୋତେ ସମୟ କାହିଁ ରୋଷେଇ କରି ରଖିଦେଲେ ଯାଏ ଭାବି ଶ୍ୟାମା କାମରେ ଲାଗିପଡ଼ିଲା l

କଲିଙ୍ଗ ବେଲର ଘନ ଘନ ଶବ୍ଦ ଆସିଲା ଯେମିତି ଶ୍ୟାମା ଗଲା କବାଟ ଫିଟେଇବାକୁl ଗ୍ୟାସବାଲାକୁ ଦେଖି ଶ୍ୟାମାର ମୁଣ୍ଡ ବିକୃତି ଭଳି ଲାଗିଲା l ଶାଶୁଙ୍କୁ ଯାଇ କହିଲା ବୋଉ ଗ୍ୟାସ ଆସିଛି l ହଁ ଯାଉଛି… I ଶ୍ୟାମା ଭଲଭାବରେ ଜାଣେ ଶାଶୁ ଡେରିକରି ଆସିବେ l ସମସ୍ତେ ଯେମିତି କ୍ରୀତଦାସ ୟାଙ୍କର l ଖରIତରାରେ ବୁଲି କାମକରୁଥିବା ଲୋକଙ୍କୁ ଦଶ ପନ୍ଦର ମିନିଟ ଛିଡା କରେଇବା କେତେଦୂର ଭଦ୍ରାମି!ସେଥିପାଇଁ ସେ ଗ୍ୟାସ ବାଲାକୁ ଯାଇ କହିଲା ହଁ ଆସୁଛନ୍ତି l ଦିଦି ପାଣି ପିଇ ଥାନ୍ତି l ଶ୍ୟମା କହିଲା ହଉ ଆଣୁଛି l ଗ୍ଲାସରେ ପାଣି ନେଇ ଶ୍ୟାମା ଦେଲା l ଲୋକଟି ଢକ ଢକ କରି ପିଇ ଆଉ ପାଣି ଚାହିଁଲା l ଶ୍ୟାମା ବାମ ହାତରେ ଆଣିଥିବା ବୋତଲରୁ ପାଣି ଅଜାଡିଦେଲା l ଲୋକଟି ଦୁଇ ଗ୍ଲାସ ପାଣି ପିଇ ଅlଶ୍ୱସ୍ତ ଅନୁଭବ କଲା l ଶାଶୁ ଗ୍ୟାସ ବିଲ ଦେବାକୁ ସଜବାଜ ହୋଇ ଚାଲି ଆସିଲେ l ଏହା ତାଙ୍କର ବଦ ଅଭ୍ୟାସ କି ଭଲ ଅଭ୍ୟାସ ମୁଁ ଜାଣେନି l କିନ୍ତୁ କାହା ସାମନlକୁ ଆସିବାର ଥିଲେ ସେ ନିଜକୁ ଟିକେ ସଜାଇ ଦିଅନ୍ତି l

ଶ୍ୟାମା ପଳେଇ ଆସି ରନ୍ଧା ହୋଇଥିବା ଖାଦ୍ୟ ସବୁ ଘୋଡେଇ ରଖୁଥିଲା l ସେ ଗୀତପ୍ରିୟ ବୋଲି ଗୁଣୁଗୁଣୁ ହେଉଥିଲା l ମନ ପ୍ରଫୁଲ୍ଲିତ ପାଇଁ ମଣିଷ ଗୁଣୁଗୁଣୁ ହୁଏ l ଏତିକିବେଳେ ପ୍ରଭାତୀ ଆସି କହିଲେ ତୁ ସେ ଲୋକଟାକୁ ପାଣି ଗ୍ଲାସରେ କାହିଁକି ଦେଲୁ? ଶ୍ୟାମା କହିଲା ବୋଉ କଣ ହେଲାକି? ସେ ପାଣି ପିଇବା ପାଇଁ ମାଗିଥିଲା l ଆଉ କୋଉଥିରେ ଦେଇଥାନ୍ତି l ବିରକ୍ତ ହୋଇଗଲେ ପ୍ରଭାତୀ l ତୋତେ ଗୋଟେ କଥା କହିଲେ ପଚାଶ କଥା କହିବୁ l ବୋତଲରେ ପାଣି ନ ଦେଇ ଗ୍ଲାସରେ ଦେଉଛୁ l କାହାପାଖରେ କେମିତିକା ରୋଗ ଅଛି ତୁ ଜାଣିଛୁ l ଶ୍ୟାମା କହିଲା ମୁଁ ଗ୍ଳାସକୁ ମାଜିଦେଇଛି l ତୋତେ ତ କହିଲି ତୁ ଗ୍ଲାସରେ ଦେବୁନି l ମନେମନେ ଭାବିଲା କି ଅଭଦ୍ରାମି l ମୁଁ ଏମିତି କରିପାରିବିନି l କିଛି ନ କହି ସେ ରୁମକୁ ପଳେଇଲା l ଦୁଇଟା ବାଜିଲେ ଖିଆପିଆ ହେବ l ଟିକେ ଅଣ୍ଟା ସିଧା କରିବାକୁ ପଡିବ l

ମାଆ ଗଣ୍ଡା ଦେ l ବୁଢୀ ମଣିଷକୁ ଦୟା କର.. l ଶ୍ୟାମା ଭାବିଥିଲା ଶାଶୁ ଯାଇ ତାକୁ କଣ ଦେବେ l କିନ୍ତୁ ଏମିତି କିଛି ହେଲାନି l ବୁଢୀଟି ସେମିତି ଠିଆ ହୋଇ ମାଗୁଣି କରୁଥାଏ l ବାଧ୍ୟ ହୋଇ ଶ୍ୟାମା ପର୍ସରୁପାଞ୍ଚ ଟଙ୍କା କଏନ ବାହାର କରି ବୁଢୀକୁ ଦେଲା l ବୁଢୀ ପଇସା ନବାକୁ ମନା କଲା l କହିଲା ମାଆଲୋ କିଛି ଖାଇବାକୁ ଦେ l ପେଟଟା ଜଳିଗଲାଣି l ଶ୍ୟାମା ଦୋ ଦୋ ପାଞ୍ଚ ହୋଇ କହିଲା ରୁହ ମୁଁ ଆସେ l ଶାଶୁଙ୍କ ପାଖକୁ ପଚାରିବାକୁ ଗଲା l ହେଲେ ଶାଶୁ ଶୋଇ ପଡ଼ିଥିଲେ l ଆଉ କିଛି ନ ଭାବି ସେ ଗୋଟେ ପତ୍ରରେ ଭାତ ଡାଲମା ଖଟା ଖିରି ପାମ୍ପଡ଼ ବାଢି ନେବାକୁ ଯାଉଥିଲା l ପ୍ରଭାତୀ ଆସି ପଚାରିଲେ କଣ କରୁଛୁ l ଜଣେ ଖାଇବାକୁ ମାଗୁଛି l ଭାରି ଭୋକିଲା ଅଛି l ପଇସା ଦେଲେ ନେଉନି l ଗମ୍ଭୀର ହୋଇ ପ୍ରଭାତୀ କହିଲେ ଘରେ କେହି ଖାଇ ନାହାନ୍ତି ଏସବୁ କିଛି ଦେଏନି l ତାକୁ ରଖିଦେଇ ଚୁଡା ଦେଇଦେ l ମନକୁ ପାଇଲନି କଥାଟା l ଶ୍ୟାମା କହିଲା ବlଢ଼ିସାରିଲିଣି ଦେଇ ଦଉଛି l ହାତରୁ ଛଡେଇ ଆଣି ପ୍ରଭାତୀ କହିଲେ ତୁ ଯା.. I ଧମଧମ ହୋଇ ଚୁଡା ଗୁଡ଼ ନେଇ ବୁଢୀକୁ ଦେଲେ l ବୁଢୀ କହିଲା ନାଇଁ ଚୁଡା ଗୁଡ଼ ମୋ ମୁଣାରେ ଅଛି l ଭାତ ଗଣ୍ଡା ଚାହୁଁଛି l ଆଣିଲିଣି ନେଇଯାଅ l ଆମର ରୋଷେଇ ସରିନି l ବୁଢୀ କହିଲା ମାଆଲୋ ସେ ମାଆ କୁଆଡେ ଗଲା l ପ୍ରଭାତୀ କହିଲେ ତାକୁ କାହିଁକି ଖୋଜୁଛୁ l ମୁଁ ପଛରେ ଛିଡା ହୋଇଥିଲି l ଘର ଭିତରକୁ ଚାଲିଆସିଲି l

ଶ୍ୟାମାକୁ ଶାଶୁଙ୍କ ଆଚରଣ ଭଲ ଲାଗୁ ନଥିଲା l ବ୍ୟକ୍ତିର ଆଚରଣ ଓ ଉଚ୍ଚାରଣ ନିର୍ଭର କରେ ଅନ୍ତର୍ଗତ ମାନସିକତା ଉପରେ l ଘୃଣ୍ୟ ମାନସିକତା ସବୁକିଛି ପରିବର୍ତ୍ତନ କରିଦିଏ l ତେବେ ଆଢୁଆଳ ହୋଇ ସେ ଠିଆ ହୋଇ ଇଶ୍ଵରଙ୍କୁ ପ୍ରାର୍ଥନା କରୁଥିଲା କେମିତି ବୋଉଙ୍କ ଅନ୍ତଶକ୍ତି ଜାଗୃତ ହୋଇ ବୁଢ଼ୀଟାକୁ ଆଜି ଭାତ ଖାଇବାକୁ ଦେଇ ଦିଅନ୍ତୁ l ଲୋକ ନିଜ ପେଟ କାଟି ଅତିଥି ସତ୍କାର ପାଇଁ ତତ୍ପର ହୋଇ ଯାଆନ୍ତି l ଭାଗବତରେ ରଂତିଦେବ କେମିତି ନିଜେ ଓ ପରିବାରର ଲୋକଙ୍କ ପେଟ କାଟି ଅତିଥି ସତ୍କାର କରିଥିଲେ l ଶେଷରେ ଭଗବତ ପ୍ରାପ୍ତିର ପ୍ରତ୍ୟାଶା ତାଙ୍କୁ ପ୍ରାପ୍ତ ହେଲା l ନିତ୍ୟ ଭାଗବତ ପଢ଼ୁଥିବା ଶାଶୁଟିର ମନ ଏମିତି କାହିଁକି!ଘରେ ଯେତିକି ଅଛି ତାହା ବଳିବ l ତଥାପି କାହିଁକି ସେ ଏମିତି ହେଉଛନ୍ତି l ସବୁବେଳ ପାଇଁ ନିଜ ବିଷୟରେ ଚିନ୍ତା କରିବା କୋଉ ମଣିଷ ପଣିଆ? ଏମିତି ଦ୍ୱନ୍ଦ୍ୱ ଯୁକ୍ତ ଥିଲା ସମୟରେ ଶ୍ୟାମା କାନ ଡେରି ଶୁଣିଲା l

ବୋଉ କହୁଥାନ୍ତି ଆମର ଯାହା ଅଛି ତାହା ଦବୁ l କାହାକୁ ଖୋଜିବାର କଣ ଅଛି?ସେ କଣ ଅଧିକ ଦବ l ଓଃ ବୋଉ ଏମିତି ଅହଙ୍କାରୀ l ସେ ଯାହା ଭାବନ୍ତି ତାହା ହିଁ ସବୁବେଳେ ଠିକ l ମୁଁ ଆସିଲା ସମୟରେ ଯାହା ଥିଲେ ଏବେ ଚାରିଗୁଣା ଅସହ୍ୟ ହେଉଛନ୍ତି l ଇଏ ବି ଏତିକିବେଳେ ନାହାନ୍ତି l କିଛି ୟାଡୁ ସିଆଡୁ କଥା ବୁଢୀ ପାଟିରୁ ବାହାରିବ ଯଦି l ଆଜିର କୁକର୍ମ କାଲି ପାଇଁ ଅଭିଶାପର ବଳୟ ସୃଷ୍ଟି କରିବ l ସାହାସ ବି ନାହିଁ ଶାଶୁଙ୍କ ପାଖକୁ ଯାଇ ସମାଧାନର କଥା କହିବାକୁ l ଏଇ ଭାବନାରେ ଥିଲାବେଳେ ବୋଉ ପାଟି କରି କହିଲେ ନେଇକି ଯା ମୋର କାମ ଅଛି l ବୁଢୀ ଠୋ ଠୋ ହସୁଥିଲା ଆଉ କହୁଥିଲା ଆଜିର ଦିନଟି କାଲିକୁ ନଥିବ l ଧନ ମାନରେ ମତ୍ତଗର୍ବୀ ମଣିଷ ବୁଝେନି ଭଲ ମନ୍ଦ l ମାଆ ତୋର ଅଭାବ କଣ ଅଛି! ତୋ ଘରୁ ରୋଷେଇର ମହମହ ବାସ ଆସୁଛି l ତୁ ଆଜି ଦିନରେ ମିଛ କହୁଛୁ l ଗଣ୍ଡେ ଖାଇବାକୁ ଦେଲେ ତୋର ସରିଯିବନି l ମୁଁ ତୋ ପାଖରୁ ହାତୀ ଘୋଡା ମାଗୁନି l ପ୍ରଭାତୀ ଭୀଷଣ ବିରକ୍ତ ହୋଇ କହିଲେ ହଉ ଯା l

ହଉ ମୁଁ ଚାଲିଯାଉଛି l ତୋର ଏଇ ନାଇଁ କଥାଟା “ଅକ୍ଷୟ” ରହିବ l ପ୍ରବଳ ଖରାରେ ବୁଢ଼ୀର ଦେହ ହନ୍ତସନ୍ତ ଲାଗୁଥିଲା l ମୁଣ୍ଡରେ ଓଦା ଗାମୁଛା ପକାଇ ବୁଢୀ ବୋଲି ବୋଲି ଯାଉଥିଲା.. “ଧରମ କିରତୀ ବାନା ଉଡାଉଛ ଶ୍ରୀହରି ବଡ଼ଦେଉ ଳେ, ମଣିଷ ବୁଝେନି ସେ କଥାର ମର୍ମ ରହିକି ସଂସାର ଆଳେ, ମିଛ ଜପ ତପ ଦେଖାଇ ପ୍ରଭୂତ୍ବ ସ୍ୱାର୍ଥପଣେ ରହେ ଭଲେ, ସେବା ତ୍ୟାଗ ଭୁଲି ନିଜକୁ ବିସ୍ତାରେ ଜନମ ମରଣ ତୁଲେ “…ଶ୍ୟାମା ଉପରେ ପଥର ଲଦି ହୋଇଯାଉଥିଲା ଯେମିତି l କେତେ ବଡ଼ ଭୁଲ କଲେ ବୋଉ l ଏତେ କାକୁତି ହେଲା ବୁଢୀ l ଟିକେ ମନକୁ ପରିବର୍ତ୍ତନ କରି ଭାତ ଗଣ୍ଡେ ଖାଇବାକୁ ଦେଇଥିଲେ କଣ ହୋଇଯାଇ ଥାନ୍ତା l ମୁଁ ବି ଡର ଛାଡି ଆଣି ଦେଇ ଥିଲେ ବୁଢୀ ଆନନ୍ଦରେ ଯାଇଥାନ୍ତା l ଭବିଷ୍ୟତ ଅନ୍ଧକାର ପରି ଲାଗୁଛି l ନିଜେ ଖାଇ ମନରେ ଅହଂକାର ରଖି କେଉଁ ଅକ୍ଷୟ ପୁଣ୍ୟ ଅର୍ଜନ କଲେ ବୋଉ ମୁଁ ଜାଣିପାରୁନି l ଭିତରକୁ ପଶି ଆସି ବୋଉ କହୁଥାନ୍ତି ବୋପାଲୋ ଏ ବୁଢ଼ୀର କି ମୁହଁ l ଶ୍ୟାମା ନ ଶୁଣିଲା ପରି ଭାବୁଥିଲା ବୁଢ଼ୀର କେଇପଦ କଥା ଆଉ କାନ ଡେରିଥିଲା ବୁଢ଼ୀର ଗୀତର ପଦକୁ…

ଗୀତାଞ୍ଜଳି କର

ଗୀତାଞ୍ଜଳି କର

ଗୀତାଞ୍ଜଳି କର ଜଣେ ସୁପରିଚିତ ଲେଖିକା ଏବଂ ସମାଜସେବୀ। ତାଙ୍କର ଅନେକ ପୁସ୍ତକ ପ୍ରକାଶିତ ହୋଇ ସାରିଛି।

Related Posts

The Season of Board Exams: A Mother’s Tale
Literature

The Season of Board Exams: A Mother’s Tale

by Sudipta Mishra
March 2, 2026

Sudipta Mishra, Puri, 2 March 2026 Exams come every year With their fierce arrival A child's heart fills with fear...

Read more
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
ଅସାମାନ୍ଯ ଯୁଧୂଷ୍ଠିର

ଅସାମାନ୍ଯ ଯୁଧୂଷ୍ଠିର

February 18, 2026
ଓଦା

ଓଦା

February 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.