ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୫ ସେପ୍ଟେମ୍ବର ୨୦୨୨
୨୦୨୧ ମସିହା ପରଠାରୁ ଓଡ଼ିଶାରେ ଆଇଏଏସ୍ ଅଫିସର ଙ୍କ ଅନୁମୋଦିତ ସଂଖ୍ୟା ୨୪୮ ହେବା କଥା । ମାତ୍ର ଏବେବି ଓଡ଼ିଶାରେ ବହୁ ସଂଖ୍ୟକ ପଦବୀ ଖାଲି ପଡ଼ିଛି । ୨୦୨୨ ର ଏକ ରିପୋର୍ଟ ଅନୁଯାୟୀ ୬୮ ଟି ଆଇଏଏସ୍ ପଦବୀ ଖାଲି ପଡିଥିବା ବେଳେ ପାଖାପାଖି ୨୮ ଜଣ କେନ୍ଦ୍ରୀୟ ଡେପୁଟେସନ୍ ରେ ଯାଇଛନ୍ତି । ଖାଲି ପଡିଥିବା ପଦବୀ ଓ ବିଭାଗ ଅନୁପାତରେ ଅଫିସରଙ୍କ ସଂଖ୍ୟା ଢ଼େର କମ୍ ରହିଛି । ନିକଟରେ ରାଜ୍ୟସରକାରଙ୍କ ପକ୍ଷରୁ ହୋଇଥିବା ଏକ ଅଦଳ ବଦଳ ତାଲିକା ଦେଖିଲେ ଜଣାପଡୁଛି ଯେ, ଓଡ଼ିଶାରେ ଆଇଏଏସ୍ ଅଫିସରଙ୍କ ଅଭାବ ରହିଛି ବୋଲି । ତା’ର ବଡ ସଂକେତ ହେଉଛି ଜଣେ ଜଣେ ଆଇଏଏସ୍ ଅଫିସରଙ୍କ ହାତରେ ୫ ରୁ ୬ ଟି ବିଭାଗର ଦାୟିତ୍ୱ ରହିଛି ।
ସର୍ବାଧିକ ଦାୟିତ୍ୱ ସମ୍ଭାଳୁ ଥିବା ଅଫିସର ମାନଙ୍କ ମଧ୍ୟରେ ଅଛନ୍ତି ବୀର ବିକ୍ରମ ଯାଦବ, ସଞ୍ଜୟ କୁମାର ସିଂ, ହେମନ୍ତ ଶର୍ମା, ଜି.ମାଥିଭାତନନ, ଶାଶ୍ୱତ ମିଶ୍ର, ଡି.କେ.ସିଂ, ନିକୁଞ୍ଜ ଧଳ, ଏବଂ ସୁଶୀଲ୍ ଲୋହାନୀ ଙ୍କ ଭଳି ଅଫିସର ମାନେ । ବିଷ୍ଣୁପଦ ସେଠୀ, ରଞ୍ଜନା ଚୋପ୍ରା, ସୁରେନ୍ଦ୍ର କୁମାର, ସି.ଜେ.ଭେନୁଗୋପାଳ ଆଦି ଅଫିସରମାନେ ମଧ୍ୟ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଛନ୍ତି ।
ତେବେ ଲୋକସେବା ଭବନର ପାୱାର କରିଡ଼ର ରେ ହେଉଥିବା ଚର୍ଚ୍ଚା କିଛି ଭିନ୍ନ ସଂକେତ ଦେଉଛି । ଯାହା ଅଫିସର ମାନଙ୍କ ଭିତରେ ଆଲୋଚନା ହେଉଛି ତାହା ହେଉଛି ବହୁ ଦକ୍ଷ ଅଫିସର ଥିବା ସତ୍ତ୍ୱେ, ପଦବୀ ବଣ୍ଟନ ବେଳେ କାହାକୁ ମେଞ୍ଚେ ତ କାହାକୁ କେଞ୍ଚେ ନ୍ୟାୟରେ ଦାୟିତ୍ୱ ମିଳୁଛି । ଏପରିକି ଅଧିକ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଜାବୁଡ଼ି ଧରିବାରେ ଆଗରେ ରହିଛନ୍ତି ଭି.ଭି.ଯାଦବ, ସଞ୍ଜୟ ସିଂହ, ଜି.ମାଥିଭାତନନ ଓ ହେମନ୍ତ ଶର୍ମାଙ୍କ ଭଳି କିଛି ହାତଗଣତି ଅଫିସର । ବହୁ ବରିଷ୍ଠ ଅଫିସରଙ୍କୁ ପଛରେ ପକାଇ ଏହି ଅଫିସର ମାନେ କିପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।
ବରିଷ୍ଠତା, ଅଭିଜ୍ଞତା ଓ ଦକ୍ଷତା ସମ୍ପନ୍ନ ଅଫିସରମାନେ ଅପେକ୍ଷାକୃତ କମ୍ ଗୁରୁତ୍ଵପୂର୍ଣ୍ଣ ବିଭାଗରେ କାର୍ଯ୍ୟକରୁଛନ୍ତି । ଅତିରିକ୍ତ ମୁଖ୍ୟଶାସନ ସଚିବ ପାହ୍ୟାର ଅଧିକାରୀ ଥିବା ମଧୂସୁଦନ ପାଢ଼ୀ, ନିକୁଞ୍ଜ ସୁନ୍ଦରରାୟ, ଆର.କେ.ଶର୍ମା, ପ୍ରଦୀପ୍ତ କୁମାର ମହାପାତ୍ର ଆଦି ଅଫିସରମାନଙ୍କୁ ଦିଆଯାଇଥିବା ପଦପଦବୀ ସେମାନଙ୍କ ଦକ୍ଷତା ଓ ଅଭିଜ୍ଞତା ଠାରୁ ଯଥେଷ୍ଟ କମ୍ ବୋଲି ଜଣାପଡୁଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପାୱାର କରିଡ଼ର ରେ ଅଫିସର ମାନଙ୍କ ପ୍ରତି ପାତର ଅନ୍ତର ନୀତି ନେଇ ଅସନ୍ତୋଷ ବଢୁଥିବା ଜଣା ପଡୁଛି । କେନ୍ଦ୍ରୀୟ ଡେପୁଟେସନରେ ଥିବା କିଛି ଅଫିସର ଏବେ ଓଡ଼ିଶା ଫେରିବା ମୁଡ଼ରେ ନାହାନ୍ତି । ଆଉ କିଛି ଅଫିସର ମଧ୍ୟ ଅତିଶୀଘ୍ର କେନ୍ଦ୍ରୀୟ ଡେପୁଟେସନରେ ଯିବାପାଇଁ ପ୍ରସ୍ତୁତ ହୋଇଗଲେଣି ।
ତେବେ ବରିଷ୍ଠ ଅଫିସର ମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଦେବାରେ ଅସୁବିଧା କ’ଣ ? କାହିଁକି କନିଷ୍ଠ ଅଫିସରଙ୍କ ତୁଳନାରେ ବରିଷ୍ଠ ଅଫିସରମାନେ ଅଣଦେଖା ହେଉଛନ୍ତି ? ନିର୍ଦ୍ଧିଷ୍ଟ କିଛି ଅଫିସର ଗୋଟିଏ ଗୋଟିଏ ବିଭାଗରେ ବର୍ଷ ବର୍ଷ ଧରି କାମ କରୁଥିବା ବେଳେ କିଛି ଅଫିସରଙ୍କୁ ଗୋଟିଏ ବିଭାଗରେ ଅଧିକ ସମୟ କାର୍ଯ୍ୟ କରିବାର ସୁଯୋଗ ମିଳୁନାହିଁ କାହିଁକି ? ଏହି ଅଫିସର ମାନଙ୍କ କ୍ଷେତ୍ରରେ ଯୋଗ୍ୟତାର ମାପକାଠି କ’ଣ ? ଦକ୍ଷତା ନା ଆନୁଗତ୍ୟ ? ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ଜଣେ ଜଣେ ଅଫିସର ୫/୬ ଟି ବିଭାଗର ଦାୟିତ୍ୱ ସମ୍ଭାଳିବେ, ସେ ବିଭାଗ ଗୁଡିକର କାର୍ଯ୍ୟ ପ୍ରତି ଅଫିସର ଜଣକ ସମୟ ଦେଇପାରିବେ ତ ? ଦକ୍ଷ ଓ ଯୋଗ୍ୟ ଅଫିସର ମାନେ ଯଦି ମନମୁତାବକ ଦାୟିତ୍ୱ ନପାଆନ୍ତି ତେବେ ସେମାନେ ନିଜର ଦକ୍ଷତାକୁ ପ୍ରଦର୍ଶନ କରିବେ କିପରି ? ବିଭାଗକୁ ଗୁରୁତ୍ୱ ଦେଉଥିବା କଥା କହୁଥିବା ରାଜ୍ୟ ସରକାର ଯଦି ଦକ୍ଷ ଅଫିସର ମାନଙ୍କୁ ଗୁରୁତ୍ୱ ନଦିଅନ୍ତି ତେବେ ବିକାଶ ପ୍ରକ୍ରିୟା ବାଧା ପ୍ରାପ୍ତ ହେବ ନାହିଁକି ?
ଯଦି ଏଭଳି ଭାବେ ସରକାରୀ ସ୍ତରରେ ଦକ୍ଷ ଓ ଅଭିଜ୍ଞ ଅଫିସର ମାନଙ୍କୁ ଅଣଦେଖା କରିବା ପ୍ରକ୍ରିୟା ଜାରୀ ରହେ ତେବେ ବହୁ ସଂଖ୍ୟାରେ ଅଫିସର ଓଡ଼ିଶା ସରକାରଙ୍କର ଅଧୀନରେ କାମ କରିବା ଅପେକ୍ଷା କେନ୍ଦ୍ର ସରକାରଙ୍କର ଅଧୀନ କୁ ଚାଲିଯିବେନି କାହିଁକି ?