ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୬ ଅଗଷ୍ଟ ୨୦୨୨
ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କର ୨ୟ ଥର ଚାକିରୀ କାର୍ଯ୍ୟକାଳ ବୃଦ୍ଧି ଏବେ ରାଜ୍ୟର ପାୱାର କରିଡ଼ରରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ଷମତାକାଳ ମଧ୍ୟରେ ଏଭଳି ଘଟଣାକୁ ଏକ ବିରଳ ଘଟଣାର ଆଖ୍ୟା ଦିଆଯାଇଛି। ଥରେ ନୁହେଁ, ଦୁଇଥର ଜଣେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବଢ଼ାଇବା ଗତ ୨୨ବର୍ଷ ଭିତରେ କେବେ ଦେଖିବାକୁ ମିଳିନଥିଲା। ଯଦିଓ ଏକାଧିକ ମୁଖ୍ୟ ଶାସନ ସଚିବ ଅତ୍ୟନ୍ତ ଦକ୍ଷ ଓ ସରକାରଙ୍କ ପ୍ରତି ଆନୁଗତ୍ୟ ରଖିଥିଲେ। କିନ୍ତୁ କାହାର ଭାଗ୍ୟରେ ଏପରି ୨ଥର କାର୍ଯ୍ୟକାଳ ବୃଦ୍ଧି ଜୁଟିନଥିଲା। ଅଧିକାଂଶ ମୁଖ୍ୟ ଶାସନ ସଚିବଙ୍କୁ ଚାକିରୀରୁ ଅବସର ପରେ ଭିନ୍ନ ସ୍ଥାନରେ ଥଇଥାନ କରାଯାଇଛି ମାତ୍ର ସେହି ସ୍ଥାନରେ କାର୍ଯ୍ୟକାଳ ବୃଦ୍ଧି କରାଯାଇନାହିଁ। ତେବେ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କ୍ଷେତ୍ରରେ କାହିଁକି ଏପରି ନିଷ୍ପତ୍ତି ନେଲେ ସରକାର ତାର କାରଣ ଖୋଜା ଚାଲିଛି ଲୋକସେବା ଭବନର ପାୱାର କରିଡ଼ରରେ।
୧୯୮୬ ବ୍ୟାଚ୍ ର ଏହି ଆଇଏଏସ୍ ଅଫିସର ୨୦୨୧ ଜାନୁଆରୀରେ ମୁଖ୍ୟ ଶାସନ ସଚିବ ଭାବେ ଅବସ୍ଥାପିତ ହୋଇଥିଲେ ଅନ୍ୟ ମାନଙ୍କୁ ପଛରେ ପକାଇ। ୨୦୨୨ ଫେବୃଆରୀ ୨୮ ତାରିଖରେ ସେ ଅବସର ଗ୍ରହଣ କରିଥା’ନ୍ତେ। ମାତ୍ର ୨୦୨୧ ଡିସେମ୍ବରରେ ପ୍ରଥମେ ୬ମାସ ଏବଂ ଏବେ ପୁଣି ୬ମାସ ତାଙ୍କର କାର୍ଯ୍ୟକାଳ ବଢ଼ା ଯାଇଛି। ଉନ୍ନୟନ କମିଶନର ଥିବା ଅନ୍ୟତମ ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନାଙ୍କ ସମେତ ଅନେକ ବରିଷ୍ଠ ଆଇଏଏସ୍ ଅଫିସର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଦୌଡରୁ ଏକ ପ୍ରକାର ବାଦ୍ ପଡିଛନ୍ତି। ଯାହାକୁ ନେଇ ଲୋକସେବା ଭବନରେ ଚର୍ଚ୍ଚା ଚାଲିଛି ଯେ, (ମାରିନେଲେ ମହାପାତ୍ରେ…..)। ତେବେ ଲୋକଙ୍କ ମନରେ ଏନେଇ ଅନେକ ପ୍ରଶ୍ନ ରହିଛି। କୌଣସି ଜରୁରୀ କାଳୀନ ପରିସ୍ଥିତି ନଥିବା ବେଳେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଲେ କାହିଁକି? ଯଦିଓ ସୁରେଶ ଚନ୍ଦ୍ର ମହାପାତ୍ର ଜଣେ ଦକ୍ଷ ଅଫିସର ମାତ୍ର ତାଙ୍କ ପରେ ଏହି ପଦବୀରେ ବସିବାକୁ ଯୋଗ୍ୟ ବା ଦକ୍ଷତା ସଂପନ୍ନ ଅଧିକାରୀଙ୍କ ଅଭାବ ରହିଛି କି ? ସୁରେଶ ମହାପାତ୍ରଙ୍କ ଯୋଗ୍ୟ ଉତ୍ତରାଧିକାରୀ କିଏ ହେବ ତାହା ରାଜ୍ୟ ସରକାର ଏପର୍ଯ୍ୟନ୍ତ ଖୋଜି ପାଇ ନାହାନ୍ତି କି? ମୁଖ୍ୟ ଶାସନ ସଚିବ ପଦବୀରେ ଅବସ୍ଥାପିତ ହେବା ପାଇଁ ମାନଦଣ୍ଡ କ’ଣ ଦକ୍ଷତା ନା ଆନୁଗତ୍ୟ?
ତେବେ ଯାହାବି ହେଉ ଏହି ପ୍ରଶ୍ନ ସମୂହର ଉତ୍ତର କେବଳ ରାଜ୍ୟ ସରକାର ହିଁ ଦେଇ ପାରିବେ। ମାତ୍ର ଓଡ଼ିଶାର ଏବେ ପ୍ରଶାସନିକ ଅଧିକାରୀଙ୍କ ଉପରେ ଏହି ନିଷ୍ପତ୍ତିର ପ୍ରଭାବ ପଡ଼ିପାରେ ବୋଲି ବହୁ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ମତ ଦେଇଛନ୍ତି। ବେଶ୍ କିଛି ଦିନ ଧରି ଓଡ଼ିଶାର ପ୍ରଶାସନିକ କଳ ଓ ବିଭିନ୍ନ ପଦ ପଦବୀରେ ଥିବା ଆଇଏଏସ୍, ଆଇପିଏସ୍ ଅଫିସରଙ୍କ କାର୍ଯ୍ୟଶୈଳୀ ଓ ପଦୋନ୍ନତି ଆଦି ପ୍ରସଙ୍ଗ ଚର୍ଚ୍ଚାର ପରିସରକୁ ଆସିଛି। ତା ଭିତରେ ରହିଛି ଅନେକ କଥା। ଯେପରିକି ବରିଷ୍ଠ ଓ ଦକ୍ଷତା ସଂପନ୍ନ ଅଧିକାରୀଙ୍କୁ ପଦୋନ୍ନତି ମିଳୁନାହିଁ। ଏହି ପ୍ରସଙ୍ଗରେ ଯେଉଁ ଅଫିସରମାନଙ୍କ ନାଁ ଚର୍ଚ୍ଚା ହେଉଛି ସେମାନଙ୍କ ମଧ୍ୟରେ ଆଗରେ ଅଛନ୍ତି ଆଡିସନାଲ୍ ଚିଫ୍ ସେକ୍ରେଟାରୀ ପ୍ରଦୀପ୍ତ କୁମାର ମହାପାତ୍ର, ମଧୁସୂଦନ ପାଢ଼ୀ ଓ ଉନ୍ନୟନ କମିଶନର ପ୍ରଦୀପ ଜେନା ପ୍ରମୁଖ। ଏମାନଙ୍କୁ ରାଜ୍ୟ ସରକାର ଠିକଣା ଭାବେ ଅବସ୍ଥାପିତ କରିଛନ୍ତି କି? ଯଦି ନୁହେଁ ଏମାନଙ୍କ ପାଖରେ କ’ଣ ଯୋଗ୍ୟତା ନା ଦକ୍ଷତାର ଅଭାବ ରହିଛି? ସେହିପରି କିଛି ବରିଷ୍ଠ ପଦାଧିକାରୀଙ୍କୁ କନିଷ୍ଠ ଅଫିସରଙ୍କ ପାଇଁ ଥିବା ପଦପଦବୀରେ ବସାଇ ଦିଆଯାଇଛି ବୋଲି ଅଭିଯୋଗ ମଧ୍ୟ ଶୁଣିବାକୁ ମିଳେ। ଆଉକିଛି ପଦାଧିକାରୀଙ୍କୁ ଏକାଧିକ ବିଭାଗର ଦାୟିତ୍ୱ ଲଦି ଦିଆଯାଇଥିବା ବେଳେ କେତେକଙ୍କୁ ଲୋକସେବା ଭବନ ବାହାରକୁ ମଧ୍ୟ ରାସ୍ତା ଦେଖାଇ ଦିଆଯାଇଛି। ନିର୍ଦ୍ଦିଷ୍ଟ କିଛି ଅଧିକାରୀଙ୍କୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ବର୍ଷବର୍ଷ ଧରି ଅବସ୍ଥାପିତ କରାଯାଇଛି ଓ ଦକ୍ଷତା ସମ୍ପନ୍ନ ଅଧିକାରୀଙ୍କୁ କାର୍ଯ୍ୟ କରିବାର ସୁଯୋଗରୁ ବଂଚିତ କରାଯାଇଛି ଏନେଇ ମଧ୍ୟ ଅନେକ ନଜିର ରହିଛି। ଏପରିକି କିଛି ବର୍ଷ ମଧ୍ୟରେ ଅନେକ ଦକ୍ଷ ଅଫିସର ଓଡ଼ିଶା ଛାଡି କେନ୍ଦ୍ରୀୟ ଡେପୁଟେସନ୍ ରେ ଯାଇ ଆଉ ଫେରି ନାହାନ୍ତି ତ ଆଉ କିଏ କିଏ କେନ୍ଦ୍ରୀୟ ଡେପୁଟେସନ୍ ରେ ଯିବା ପାଇଁ ବ୍ୟସ୍ତ ହେଲେଣି।
କେବଳ ମୁଖ୍ୟ ଶାସନ ସଚିବ ନିଯୁକ୍ତି କ୍ଷେତ୍ରରେ ଏହା ଦେଖିବାକୁ ମିଳୁଛି ତା ନୁହେଁ ବରଂ ପୋଲିସ ଡିଜି ଚୟନ ବେଳେ ମଧ୍ୟ ଅନେକ ଦକ୍ଷତା ଥିବା ଯୋଗ୍ୟ ଓଡ଼ିଆ ଅଫିସର ଏହି ସର୍ବୋଚ୍ଚ ପଦବୀପାଇବାରୁ ବଞ୍ଚିତ ହୋଇଥିଲେ । ଯାହାକୁ ନେଇ ବେଶ୍ ଆଲୋଚନା ଓ ସମାଲୋଚନା ମଧ୍ୟ ବିଭିନ୍ନ ମହଲରେ ହୋଇଥିଲା। ଗତ ଫେବୃଆରୀ ୨୦୨୨ର ଏକ ରିପୋର୍ଟ ଅନୁଯାୟୀ ଓଡ଼ିଶାର ଆଇଏଏସ୍ ଅଫିସର ପୋଷ୍ଟ ୬୮ଟି ଖାଲି ପଡିଥିବା ବେଳେ କେନ୍ଦ୍ରୀୟ ଡେପୁଟେସନ୍ ରେ ୨୮ ଜଣ ଯାଇଛନ୍ତି। ସେହିପରି ୭୫ଟି ଆଇପିଏସ୍ ପଦବୀ ଖାଲି ପଡିଥିବା ବେଳେ କେନ୍ଦ୍ରୀୟ ଡେପୁଟେସନ୍ ରେ ୨୪ଜଣ ଅଛନ୍ତି।
ତେବେ ଥରେ ଭାବନ୍ତୁ ତ ଯଦି ଯୋଗ୍ୟ ଓ ଦକ୍ଷ ଅଫିସରଙ୍କୁ ପ୍ରଶାସନିକ ସେବାରେ କାମ କରିବାର ସୁଯୋଗ ଦିଆ ନଯାଏ, ପଦୋନ୍ନତି ନମିଳେ, ଜଣେ ଅଧିକାରୀଙ୍କ ଉପରେ ଏକାଧିକ ବିଭାଗ ଲଦି ଦିଆଯାଏ ତେବେ ପ୍ରଶାସନର ଗତି ଶିଥିଳ ହୋଇଯିବନି ତ ? ପ୍ରଶାସନିକ ଦକ୍ଷତା ଥିବା ବ୍ୟକ୍ତିଙ୍କୁ ବାରମ୍ବାର ଅଣଦେଖା କଲେ ତାଙ୍କର କାର୍ଯ୍ୟଦକ୍ଷତା ଉପରେ ଏହାର ଖରାପ ପ୍ରଭାବ ପଡିବ ନାହିଁ ତ ? କାର୍ଯ୍ୟ କରିବା ବେଳେ ମାନସିକ ସନ୍ତୁଳନ ନରଖି ପାରିଲେ ଏହି ପ୍ରଶାସନିକ ଅଧିକାରୀମାନେ ଲୋକଙ୍କର ସ୍ୱାର୍ଥକୁ ଗୁରୁତ୍ୱ ଦେବେ ତ ?