ଜୟ କୁମାର ମିଶ୍ର, ବୁଦୁରା, ଗଜପତି, ୨୬ ମଇ ୨୦୨୫
ସାବିତ୍ରୀ ବ୍ରତଟି, ଆସଇ ଝପଟି
ସାବିତ୍ରୀଏଁ ସଜବାଜ,
ବଜାର ଗମନ, କିଣେ ଇଛା ମନ
ମୁଖଟି ବହୁତ ତେଜ ll
ବ୍ରତକୁ କରିବେ, ଆୟୁଷ ରଖିବେ,
ହେଉ ଥାନ୍ତି ହମ ହମ,
ସାହି, ପଡୋସୀଏଁ, ମିଶି ସାବିତ୍ରୀଏଁ
ପଚରା, ଉଚୁରା ପ୍ରେମ ll
ଦାମିକିଆ, ପାଟ, ଶଙ୍ଖା, ଚୁଡ଼ି ଭେଟ
କେତେ କଣ ଅନା ବନା,
ଘରେ କଳି ଗୋଳ, ଗର୍ଜନ ପ୍ରବଳ
ସତ୍ୟବାନ କଲେ ମନା ll
ହୋଇ କାନ୍ଦ କାନ୍ଦ, ରନ୍ଧା ହୁଏ ବନ୍ଦ,
ଘରେ, ଘରେ, ଧର୍ମ ଘଟ,
ମିଥ୍ୟାରେ ବାହାନା, ହୋଇଛି ବେଦନା
ଧରି କେହି, ଘର ଖଟ ll
ସତ୍ୟବାନଙ୍କର, ସାତ ପୁରୁଷର
ବାହୁନାରେ ଗଇ ଖୋଳା,
ଫୁଲାଇ ହୋଇବେ, ଦେଖାଇ କହିବେ
ଆସି ଥିଲେ, ଶାଳୀ, ଶଳା ll
ଗ୍ରୀଷ୍ମ ତାତି ଠାରୁ, ସେତ ବଡ଼ ତାତି
ବଜାର ଦରଟି ଚଢ଼ା
ବଢ଼େ ତାପମାତ୍ରା, ଡେଇଁ ବାଡ଼, ବତା
ଲଗାମ ଛଡ଼ା ସେ’ ଘୋଡ଼ା ll
ହଜାର ହଜାର, ବ୍ୟୟରେ ସମ୍ଭାର
ଋଣ କରି ଘିଅ ଖିଆ,
ଯମର ଦୁଃଖଠୁ, ବଳି ଯାଏ ଦୁଃଖ
ଅକୁହା ବେଦନା ଯାହା ll
ସାବିତ୍ରୀ ବ୍ରତଟି, ସେହିକାଳେ ଇତି
ଜଙ୍ଗଲେ ଆରମ୍ଭ ହୋଇ,
ଭାବଭକ୍ତି ଉଣା, ବେଶି ଦେଖାଣିଆ
ଘରେ, ଘରେ ଲାଗେ ନିଆଁ ll
ନିଦ ହଜିଯାଏ, ରାତି ପାଇଯାଏ
ଭାବିଭାବି ଋଣ କଥା,
ସତ୍ୟବାନଙ୍କର, ମନରେ ବିକାର
ଅନ୍ୟ ମନସ୍କରେ ଚିନ୍ତା ll
ବଢ଼େ ରକ୍ତ ଚାପ, ମଉନ ପ୍ରଳାପ
କହିବାକୁ ନାହିଁ ବାଟ,
ସାବିତ୍ରୀ, ରାଗିବେ, ପ୍ରଳୟ ରଚିବେ
ଦୁନିଆ ଯାକର ହାଟ ll
ନୂଆ ନୂଆ ପ୍ରଥା, କାଢ଼େ ମୁଣ୍ଡ ବ୍ୟଥା
ଦେଖାଶିଖା ବୁଦ୍ଧି ଘେନା,
ଶସ୍ତା ପ୍ରଶଂସାକୁ, ମନ ହାଇଁ ଫାଇଁ
ଉଡାଇ ପଉରଷେ ବନା ll
ଶାଢ଼ୀ, ଚୁଡ଼ି ଦେଖା, ତା’ ମାନ ପରଖା
ଛଅକୁ ଛପନ କୁହା,
ଫୁଲି ଗଉରୀଏଁ, ହୁଅନ୍ତି ଫୁଲାଇ
ବହୁ ମିଛ କଥା କୁହା ll