ଜୟ କୁମାର ମିଶ୍ର, ଗଜପତି, ୧୯ ମଇ ୨୦୨୩
ସାବିତ୍ରୀ ବ୍ରତଟି, ଆସୁଅଛି ଛୁଟି
ଛାତି ଧଡ଼ଧଡ଼ କରି,
ସତ୍ୟବାନା ଦୁଃଖ, ତାହାଙ୍କ ବିମୁଖ
ଅକୁହା ବେଦନା ଭାରୀ ll
ଆଜିକା ସାବିତ୍ରୀ, ତାର ମହା ମତି
ବହୁତ ଚତୁର ସିଏ,
ଅତି ପତିଭକ୍ତି, ବାଢ଼େ ସବୁ ଶକ୍ତି
ପାରିବିନି କଳି କିଏ ll
ହୋଇ ସଜବାଜ, ସାବିତ୍ରୀଙ୍କ ତେଜ
ଗଣି ଗଣି ଦିନ ବସେ,
କିଣା କିଣ ହୁଏ, ମନକୁ ପକାଏ
ବାର ବାର ସବୁ ଘୋଷେ ll
ଶାଢ଼ୀ, ଚୁଡ଼ି, ମାଳି, ଫଳ ଭଳିଭଳି
ସବୁ ଦାମକିଆ ହେବ,
ପଛେ ହେଉ ଯାହା, କିଣିବାର ରାହା
ଆଗକୁ ଆଗକୁ ଯିବ ll
ନୁଆଁ ନୁଆଁ ପ୍ରଥା, ଅଜଣାର କଥା
ଲୋକ ଦେଖାଣିଆ ଭିଡ଼,
ଦେଖା ଶିଖା ବୁଦ୍ଧି, ହୋଇ ଯାଏ ଖୁନ୍ଦି
ମଥା ଠାରୁ ଚିତା ବଡ଼ ll
ସାବିତ୍ରୀ ମହିମା, କ୍ଷମତାର ସୀମା
ସରହଦ ସବୁ ଡିଏଁ,
ଯମଙ୍କୁ ତୋଷିବ, ଆୟୁଷ ଆଣିବ
ସତ୍ୟବାନା ପାଇଁ ସିଏ ll
ତାଲିକା ହେଉଛି, ଭଳିଭଳି କିଛି
ଯୋଜନାଟି ବହୁରୂପୀ,
ଆର୍ଥିକ ସ୍ଥିତିଟି, ଅବୁଝା ସେଇଠି
ସାବିତ୍ରୀତ ମହା କୋପୀ ll
ଋଣ କରି କରି , ଘିଅ ଖିଆ ଭାରୀ
ନହଲେ ଚଳିବ ନାହିଁ,
କଲେ ପ୍ରତିବାଦ, ଶୁଭିବ ଶବଦ
ଗିନା, କଂସା ଫିଙ୍ଗା ହୋଇ ll
ହୋଇ କାନ୍ଦ କାନ୍ଦ, ରନ୍ଧା, ବଢ଼ା ବନ୍ଦ
ଅସହଯୋଗର ତୁଲେ,
ମୁହଁ ଫଣ ଫଣ, କଥା ଟାଣ ଟାଣ
ତୀର ପରି ମାଡ଼ି ଚାଲେ ll
ସତ୍ୟବାନା ସହେ, କିଛି ବି ନକହେ
ପଥର ସନ୍ଧିରେ ହାତ,
କହିଲେ ମରିଲା, ନକହି ମରିଲା
ସରମରେ ହନ୍ତସନ୍ତ ll
ଦେଲେ ସେ ବିଗାଡ଼ି, ଛାଡ଼ି ସିଂହ ରଡ଼ି
ଜୀବନ୍ତ ମରଣ ଦଶା,
ରହିଲେ ମଉନ, ଆୟୁଷର ମାନ ଆପେ ବଢ଼ିଯିବା ଆଶା ll
ମେଳୁ ବା ନମେଳୁ, ସୁଖ ଶାନ୍ତି ଚଳୁ
ଇଜ୍ଜତ, ମହତ ଥାଉ,
ସାବିତ୍ରୀ ବ୍ରତରେ, ସତ୍ୟବାନା ପାରେ
ସାବିତ୍ରୀ, ଦରଦ ରହୁ ll