ସସ୍ମିତା ପଣ୍ଡା, ୧୪ ସେପ୍ଟେମ୍ବର ୨୦୨୨
ତୁମେ ଭିଜା ଆଷାଢ଼ର ମନ
ମୁଁ ବଇଶାଖି ମରୁବନ
ତୁମେ ଶ୍ରାବଣୀ ଆଳାପ ଗାଥା
ମୁଁ ଅତୀତର ଭିନ୍ନ କଥା
ତୁମ ନୀରବତା ନିଦାଘ ଦେହରେ
ମାଖୁଛି ଅସୀମ ତାତି
ସଞ୍ଜ ପଣତରେ ହଜାଇ ଦେଇଛି
ଯେତେ ମୋ ବତୁରା ସ୍ମୃତି ।।
ତୁମେ ସଜ ଶ୍ରାବଣୀର ଦାଗ
ମୁଁ ମେଘଚୁକ୍ତି ଅପବାଦ
ତୁମେ ଜୋଚ୍ଛନା ପଖଳା ଜହ୍ନ
ମୁଁ ଅଭିଶପ୍ତ ଭିଜା ମନ
ରଜନୀଗନ୍ଧାର ସପନ ଶେଯରେ
ସେହି ମିଠା ଅନୁଭୁତି
ଅଳସ ଭାଙ୍ଗୁଛି ଆଖି ନିଦ ପାଖେ
ତୁମ ମିଛ ପ୍ରତିଶ୍ରୁତି ।।
ତୁମେ ପୁବେଇ ପବନ ବାଆ
ମୁଁ ଚହଲା ପାଣିର ନାଆ
ତୁମେ ହସର ହଜାରେ ମୋତି
ମୁଁ ଜଳି ମରୁଥିବା ପ୍ରୀତି ।।
ତୁମ ହୃଦୟର ସୀମା ସହରଦ
ଛୁଏଁ ମନ ବେଳାଭୂମି ।
ହୃଦୟରେ ଭରା ନଉତେ ବିଳାପ
ଧିରେ ଆସେ ଝୁମି ଝୁମି ।।
ତୁମେ କମକଳା କାରୁକାର୍ଯ୍ୟ
ମୁଁ ପାଷାଣ ପିଠିର ଧୈର୍ଯ୍ୟ
ତୁମେ ପରିପୂର୍ଣ୍ଣ ଫର୍ଦ୍ଦେ ଲେଖା
ମୁଁ ସପନଟେ ଅଧାଦେଖା
ଆଶା ଆକାଶରୁ ମାଗିଆଣିଥିବା
ମାଳତୀର ଅଭିସାର
ସମୟ ଲେଖୁଛି ଚିଠିରେ ଚିଠିରେ
ନିବିଡ଼ତା ଇସ୍ତାହାର ।।