ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୩ ଜୁଲାଇ ୨୦୨୪
ବିଧାନସଭାର ଚଳିତ ଅଧିବେଶନ
ନୂଆ ସର୍କାର ଓ ନୂତନ ବିରୋଧୀ ପାଇଁ,
କେମିତି ଅନୁଭବ ଆଣିବ ତାହା
ଦେଖିବାକୁ ରାଜ୍ୟବାସୀ ରହିଛନ୍ତି ଚାହିଁ ।। ୧ ।।
ଅପ୍ରତ୍ୟାଶିତ କ୍ଷମତାର ସ୍ପର୍ଶ
ବିଜପିକୁ କରିଛି ଉତଫୁଲ୍ଲିତ,
ଆକସ୍ମିକ ଗାଦିଚ୍ୟୁତ ଝଟକାରେ
ବିଜେଡି ହୋଇଛି ମର୍ମାହତ ।। ୨ ।।
ପ୍ରଥମ ଥର ପାଇଁ ବିଜେପି ରାଜ୍ୟରେ
ଏକାକୀ କ୍ଷମତା ହାସଲ କରିଚି,
ଚବିଶ ବର୍ଷର ରାଜୁତି ପରେ ଏବେ
ବିଜେଡି ବିରୋଧୀ ଆସନେ ବସିଚି ।। ୩ ।।
ସମତୁଲ, ସନ୍ତୁଳିତ, ସମୃଦ୍ଧ ଓଡ଼ିଶା
ଗଠନ ପାଇଁ ବିଜେପି କରିଛି ସଂକଳ୍ପ,
ସେଥିପାଇଁ ତିଳେମାତ୍ର ହାତଛଡ଼ା
କରୁନାହିଁ ସର୍କାର କୌଣସି ବିକଳ୍ପ ।। ୪ ।।
ଏପରିକି ପ୍ରତିପକ୍ଷ ଦଳଙ୍କ ନିକଟରୁ
ଗଠନମୂଳକ ପରାମର୍ଶ ନେବା ପାଇଁ,
ବିରୋଧୀ ଦଳର ନେତା ନବୀନଙ୍କୁ
ମୋହନ ସର୍କାର ନେଉଛି କୋଳାଇ ।। ୫ ।।
କିଏ କହେ ବିରୋଧୀ ଦଳ ପ୍ରତି
ଏହା ବିଜେପିର ଅଟେ ବଦାନ୍ୟତା,
ଆଉ କିଏ କହେ ପୁଣି ତାହା
ସେଦଳର ରାଜନୈତିକ ପଟୁତା ।। ୬ ।।
ଯେହେତୁ ଦିଲ୍ଲୀ ସର୍କାରର ଅସ୍ତିତ୍ୱ
ସହଯୋଗୀଙ୍କ ମର୍ଜି ଉପରେ ନିର୍ଭରଶୀଳ,
ଜଟିଳ ପରିସ୍ଥିତିର ସାମ୍ନା ପାଇଁ
ଦରକାର ପଡ଼ିପାରେ ବିଜେଡିର ବଳ ।। ୭ ।।
ଏମିତିବି କ୍ଷୀଣ ସଂଖ୍ୟା ଗରିଷ୍ଠତାରେ
ରହିଛି ରାଜ୍ୟରେ ମୋହନ ସର୍କାର,
ତେଣୁ ବିଜେପି ସଂଗ୍ରାମ କରୁଛି ଏଠାରେ
ଅହରହ ହୋଇ ହରବର ।। ୮ ।।
ତେଣୁ ନୂଆ ସର୍କାର, ନୂତନ ବିରୋଧୀ
ଆଉ ନବାଗତା ବାଚସ୍ପତିଙ୍କୁ ନେଇ,
ବିଧାନସଭା ଅଧିବେଶନ ଝଲସିବ
ଏଥର ଅଭିନବ ନୃତ୍ୟନାଟିକାକୁ ଥୋଇ ।। ୯ ।।