ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୦ ଅଗଷ୍ଟ ୨୦୨୪
ଗାଆଁ ହୋଇଛି ଆଜି ଶିରିହୀନ
ସେଠି ମଣିଷ ଜୀବନ ହୀନିମାନ
କିଛି ସୁଯୋଗ ନାହିଁ ଉପାର୍ଜନ
ଲୋକ କରୁଛନ୍ତି ସେଠୁଁ ପଳାୟନ ।। ୧ ।।
କାମଧନ୍ଦାର ଅନ୍ୱେଷଣ
ଗାଆଁକୁ କରିଛି ଜନଶୂନ୍ୟ
ଗାଆଁରେ ଅଛନ୍ତି କିଛି ଗୁରୁଜନ
ବିତଉଛନ୍ତି ଦୁର୍ବିସହ ଜୀବନ ।। ୨ ।।
ଏବେ ଗାଆଁରେ ନାହିଁ ଗିରିବନ
ନାହିଁ ଗୋଚର ଆଉ ଶମଶାନ
ଲୋପ ପାଉଛି ପଶୁଧନ
ଗ୍ରାମସ୍ୱରାଜ ହୋଇଛି ସାତ ସପନ ।। ୩ ।।
ଗାଆଁର ଶୁଦ୍ଧ ପାଣି ପବନ
ଆଜି ହୋଇଛି ଅନ୍ତର୍ଦ୍ଧାନ
ଧୂଳି ଧୂସର ଉପବନ
ଗାଆଁକୁ କରିଛି ଶୋଭାହୀନ ।। ୪ ।।
ରଜ ମଉଜ ଖିଲିପାନ
ଦୋଳିରେ ସଂଗୀତର ଗାନ
କୋଇଲିର କୁହୁ କୁହୁ ତାନ
ଆସ୍ତେ ଗାଆଁରୁ ହେଉଛି ଉଭାନ ।। ୫ ।।
ଗାଆଁ ମାଟିର ମହାଜନ
ଆଜିବି କରୁ ଅଛି ଶୋଷଣ
ଖାଦ୍ୟ ଅଭାବ କୁପୋଷଣ
ଗ୍ରାମବାସୀଙ୍କୁ କରିଛି ଶକ୍ତିହୀନ ।। ୬ ।।
ନିର୍ବାଚନର ମଇଦାନ
ଗାଆଁକୁ କରିଛି ବିଭାଜନ
ହିଂସାରେ କ୍ଷୟ ଧନ ଜନ
ପରିବାର ହୋଇ ଯାଉଛି ଉଚ୍ଛନ୍ନ ।। ୭ ।।
ଚାଷୀ ଏବେବି ରହିଛି ଭୂମିହୀନ
ବୁଭୁକ୍ଷୁ ଲୋକଙ୍କୁ କରୁଛି ଅନ୍ନଦାନ
ନିଜର ସମସ୍ୟା ରହିଛି ଅନ୍ତହୀନ
ତା’ର ହୋଇ ପାରୁନାହିଁ ସମାଧାନ ।। ୮ ।।
ଏବେବି ସ୍ଲୋଗାନ ପଡୁଛି ଘନଘନ
ଗାଆଁର ବିକାଶ ହେବ ସର୍ବାଙ୍ଗୀନ
ତଥାପି ଗାଆଁର ଚେହେରା ରଙ୍ଗହୀନ
ଆଦୌ ବଢି ପାରୁନି ତା’ର ସନମାନ ।। ୯ ।।