ସସ୍ମିତା ପଣ୍ଡା, କଟକ, ୧୮ ଜୁନ୍ ୨୦୨୩
ଏତେ ସ୍ବପ୍ନକୁ ନେଇ
କଣ ବାଟଚାଲି ହୁଏ
ବେଳେବେଳେ ସ୍ବପ୍ନ ମାନେ
ଖୁବ୍ ଭାରିପଣ ଅଜାଡ଼ି ଦିଅନ୍ତି
ତୁମେ କୁହତ….
ଏ ଛୋଟିଆ ଆଖି ହଳକ
କେମିତି ଦେଖି ପାରିବ
ଏତେ ବଡ଼ ବଡ଼ ସ୍ବପ୍ନ ସବୁ ?
ମୋ ନିଦକୁ ରାଣ ଦେଲି
ଆଖିକୁ ତାଗିଦ୍ କଲି
ଛାତିରେ ପଥର ଲଦି
ସହିଗଲି ସବୁକିଛି
ହେଲେ ନିସ୍ତାର କାହିଁ ଯେ
ସେ ମିଠା ଜ୍ବଳନରୁ….
ମନ ସହ ବୁଝାମଣାର
ଚୁକ୍ତି ସ୍ବାକ୍ଷର ପରେ ବି ?
ସବୁ ବାଟ ସେମାନଙ୍କୁ ଜଣା
ଅକ୍ଳେଶରେ ଡେଇଁ ପାରନ୍ତି
ମେଘନାଦ ପାଚେରୀ
ବାନ୍ଧିପାରନ୍ତି ସ୍ବର୍ଗକୁ ନିଶୁଣି….
ରାତି ସହ ସାଲିସ୍ କରି
କେତେବେଳେ
ବର୍ଷାରେ ଭିଜିଭିଜି ତ
ଆଉ କେବେ
ବସନ୍ତର ଚୋରା ଚଇତାଳିରେ ।
ବାରମ୍ବାର କହିବା ପରେ ବି
ବୁଝନ୍ତିନି ସେମାନେ….
ଏଠି ସ୍ବପ୍ନ ଦେଖିବା ମନା !