ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୧ ଫେବୃଆରୀ ୨୦୨୫
ଆମରି ଭାଷାରେ ଆମେ
ଡାକିଦେଲୁ ଜଗନ୍ନାଥ
ଆମ ପରିଚୟ ଆମର ଗୌରବ
ଜଗତକୁ କର ତୁମେ ପ୍ରିତ.
ବିଶ୍ୱହିତ ପାଇଁ ତୁମେ ଅଛ ପ୍ରଭୁ
ଆମକୁ ନେଇଛ ସେହି ପଥେ
ଆମ ଜାତି ଆଉ ଆମ ମାତୃଭାଷା
ସମର୍ପିତ ସଦା ବିଶ୍ୱହିତେ.
ଆମ ଭାଷା ସତେ କି ମଧୁର ଆହା
ସରଳ ପୁଣି ସେ ସମ୍ଭ୍ରାନ୍ତ
ଚାରି ପରକାର ଶବ୍ଦରେ ସମୃଦ୍ଧ
ବଢ଼ାଇଛି ଆମ ମହତ୍ତ୍ୱ.
ଆମ ରାଜ୍ୟ ପଦ୍ମେ କେଶର ସ୍ଥାନରେ
ବିରାଜିତ ତୁମେ ହୋଇଅଛ
ଆମରି ଭାଷାକୁ ଆମ ଚଳଣିକୁ
ମହାନତା ତୁମେ ଦେଇଅଛ.
ଆମରି ସଭ୍ୟତା ସଂସ୍କୃତି ରକ୍ଷାରେ
ଆମ ଭାଷା ସଦା ତତପର
ତୁମେ ବସି ପ୍ରଭୁ ନୀଳାଚଳ ଧାମେ
ଧରିଅଛ ତା’ର ପ୍ରଗତି ଡୋର.
ତୁମେ ଅବିନାଶୀ ଶାଶ୍ୱତ ପ୍ରଭୁହେ
ତୁମେ ଓଡ଼ିଆର ପରିଚୟ
ତୁମ ପାଇଁ ଭାଷା ବଞ୍ଚିଛି ବଞ୍ଚିବ
ହେବନାହିଁ କେବେ ତା’ର କ୍ଷୟ.
ଜୟ ଜୟ ଆମ ଭାଷା ଜୟ
ଆମ ମାତୃଭାଷା ଜୟ ଜୟ.
***
ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ