ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୫ ଫେବୃଆରୀ ୨୦୨୪
ଆମେରେ ଓଡ଼ିଆ ଶାନ୍ତି ବାର୍ତ୍ତାବହ
ଧଉଳି ପାହାଡ଼ ସାକ୍ଷୀ
ବିଶ୍ୱ ହିତ ଆମ ଜାତିର କାମନା
କହେ “ଜଗା” ଚକା ଆଖି ।
ଆମେରେ ଓଡ଼ିଆ ବୀର ଶ୍ରେଷ୍ଠ ବୋଲି
ପାଇକ ବିଦ୍ରୋହ କହେ
ଜୀବନ ଆମର ଦେଇ ଦେଉ ସିନା
ଶବ ଜାତି ଜୟ ଗାଏ ।
ଆମେରେ କଳାରେ ଭାସ୍କର୍ଯ୍ୟ ସବୁରେ
ପାଇ ଅଛୁ ଉତ୍କର୍ଷତା
କୋଣାର୍କ ମନ୍ଦିର ନିଦର୍ଶନ ତା’ର
ବିଶ୍ୱକୁ ଦିଏ ବାରତା ।
ଆମେରେ ମହାନ ଭାଷା ସାହିତ୍ୟରେ
ପୋଥି ପୁସ୍ତକ କହନ୍ତି
“ଶାରଳା” “ଉପେନ୍ଦ୍ର” “ଜଗନ୍ନାଥ ଦାସ”
ପ୍ରମାଣ କରିଅଛନ୍ତି ।
ଆମେରେ ଓଡ଼ିଆ ଜାତିର ଦାୟାଦ
ଆମେରେ ସୌଭାଗ୍ୟବନ୍ତ,
ରାଷ୍ଟ୍ର ଗଠନରେ ଏ ରାଜ୍ୟ ମନୀଷୀ
ଲଗାଇ ଅଛନ୍ତି ହାତ ।
ଆମେରେ ଓଡ଼ିଆ ଗୌରବ ମଣ୍ଡିତ
ଶାସ୍ତ୍ରୀୟ ଭାଷା ଓଡ଼ିଆ
ଓଡିଶୀ ସଂଗୀତ ନୃତ୍ୟରେ ଛନ୍ଦରେ
ଦେଶରେ ଆମେ ବଢିଆ ।
ଆମେରେ ଓଡିଶା ରାଜ୍ୟର ସନ୍ତାନ
ଚାଲୁ ଆଜି ମୁଣ୍ଡ ଟେକି
“ନବୀନ” ନିଜର କୁଶଳୀ ହସ୍ତରେ
ଚାଲନ୍ତି ପ୍ରଗତି ଲେଖି ।