ସସ୍ମିତା ପଣ୍ଡା, କଟକ, ୧୦ ମାର୍ଚ୍ଚ ୨୦୨୩
ମୂର୍ତ୍ତି:— ସ୍ରଷ୍ଟାଙ୍କର ମହନୀୟ ପରିକଳ୍ପନା ତୂଳୀକାରେ
ଅଗ୍ନିରୁ ଶକ୍ତି ଗନ୍ଧର୍ବ ଠାରୁ ବଚନ
ଚନ୍ଦ୍ରମାରୁ ପବିତ୍ରତା
ଅନିର୍ବଚନୀୟ ଦିବ୍ୟ ପରିପୁଷ୍ଟା ।।
ସ୍ଥିତି:— ସାରା ସଂସାରର ମଥାପରେ
ଝଟକୁଥିବା ଥିବା ମଣି
ସହଯୋଗୀ ସହଯାତ୍ରୀ ସହଧର୍ମ ବତ୍ରରେ
ପ୍ରତିକ୍ଷଣ ପ୍ରସ୍ତୁତିରେ ପ୍ରସ୍ତାବିତ
ଅର୍ଦ୍ଧେକରେ ଅର୍ଦ୍ଧାଙ୍ଗିନୀ ।।
ପ୍ରୀତି:— ଦୁନିଆର ପତନରୁ ଉର୍ଦ୍ଧ୍ବାୟିତ ନୂତନତ୍ବ
ଅପୂର୍ବ ଅତୁଳନୀୟ ସୌନ୍ଦର୍ଯ୍ୟରେ
କାନ୍ତିର ସମାହାର
ପୁଲକିତ ଗତିଛନ୍ଦେ ବିଶାଳ ଗମ୍ଭୀର ।।
ଭକ୍ତି:— ବିଶ୍ବାସର ଅବିଶ୍ରାମେ
ଅତୀତର ବନ୍ଦ୍ୟା
ବର୍ତ୍ତମାନରେ ଶାନ୍ତିର ସୌରଭ
ଭବିତବ୍ୟର ନୈସର୍ଗିକ ଚେତନା
ଅଦୃଷ୍ଟର ସୁବର୍ଣ୍ଣ ସମ୍ଭାବନା ।।
ଶକ୍ତି:— ସମୟର ଅଗ୍ନି ଶିଖାରେ
ସର୍ବଦା ମନ୍ତ୍ର ସିଦ୍ଧ ଉଜ୍ଜଳତା
ସାମର୍ଥ୍ୟର ପରିଭାଷା
ନବପଲ୍ଲବ ତ୍ରିଶାଖା ବିଲ୍ବଦଳେ
ଆରାଧନା ଶିବାରୁଢା
ଶେଷ ନିଷ୍ପତ୍ତି ର ସମର୍ଥନ ।।
ମୈତ୍ରୀ:— ମିତ୍ରତାର ଅନୁପମା
ଅଯାଚିତ ଅନନ୍ୟା
ମୁହୂର୍ତ୍ତର ମୁଖରୁ ମୁଖରିତ
ମଗ୍ନମୟ ବିଭୋରତା
ସୌହାର୍ଦ୍ଦ୍ୟପୂର୍ଣ୍ଣ ବୈଶିଷ୍ଟ୍ୟତା ।।
ସ୍ମୃତି:— ଧୈର୍ଯ୍ୟର ସ୍ମାରକପତ୍ରେ
ସ୍ବାକ୍ଷରିତ
ଅବର୍ଣ୍ଣନୀୟ ରହସ୍ୟ ଭେଦୀ ମନ୍ତ୍ରଧ୍ବନୀ
ଦୃଢ଼ତାର କ୍ରାନ୍ତିରେ
ଶତରୂପା ସର୍ବଂସହା ।।
ସବୁପରେ ସେ ପୁଣି…………
ଦେବୀ ଆସନେ ଅଳଙ୍କୃତା
ଗୃହିଣୀର ଗହଣାରେ
ପାକ ହେଉଥିବା ଅନ୍ନପରି
ସିଝିଉଠେ, ମସଲା ପରି ବାଟି ହୋଇ ସ୍ବାଦ ବାଣ୍ଟେ ।
ପେଶଣାରେ ପେଶି ହୋଇ ନିଜକୁ ସମର୍ପି ଦେଇଛି ବସୁଧା କ୍ଷମା ମନ୍ତ୍ର ତୋଳି ବୋଲି ତ ଆଜି ଏ ଦୁନିଆ ମୁଖରେ ହସ ଫୁଟେ ।।