ସସ୍ମିତା ପଣ୍ଡା, ୨୧ ସେପ୍ଟେମ୍ବର ୨୦୨୨
ତୁମେ ଶରତର ସ୍ନିଗ୍ଧ ନୀଳୋତ୍ପୋଳେ
ପରିପୂର୍ଣ୍ଣ ଆରାଧନା
ମୁଁ ଯେ ଶେଫାଳୀର ଆଭୂମ ମୁଦ୍ରାରେ
କ୍ଷଣିକର ଉପାସନା ।।
ତୁମେ ମନ୍ତ୍ରମୟୀ ଚିନ୍ମୟୀ ଶୃଙ୍ଗାରେ
ପଲ୍ଲବିତ ବିଲ୍ବପତ୍ର ।
ମୁଁ ଯେ ଶୁଭ୍ରତାର କାଶତଣ୍ଡି ମଥା
ଆଲଟ ଚାମର ମାତ୍ର ।।
ତୁମେ ଆରାଧିତ ଷୋଡ଼ଶ ସମ୍ଭାରେ
ଦିବ୍ୟରୂପା ଦୟାମୟୀ ।
ମୁଁ ଯେ ଛଳଛଳ ତଟିନୀର ଜଳ
ସ୍ବାଗତର ସାହାନାଇ ।।
ତୁମେ ଜ୍ଞାନମୟୀ ତ୍ରିଗୁଣ ସଂଜ୍ଞାରେ
ଆଦ୍ୟ ଅଣାକାର ମାତ୍ରା ।
ମୁଁ ଯେ ପ୍ରକୃତିର ସବୁଜ ତୋରଣେ
ଲକ୍ଷ୍ୟ ହୀନ ଅଭିଯାତ୍ରା ।।
ତୁମେ ଚନ୍ଦ୍ରଘଣ୍ଟା ଶୀତଳ ସ୍ପର୍ଶରେ
ଶାନ୍ତି ପଦ୍ମବନ ସୁଧା ।
ମୁଁ ଯେ ଶାରଦୀୟ ମେଘର ଗଜରା
ନୟନରେ ମୋହନିଦ୍ରା ।।
ତୁମେ ସିଂହାରୁଢା ସତ୍ୟ ଆବାହନେ
ସାମର୍ଥ୍ୟର ଆକର୍ଷଣ ।
ମୁଁ ଯେ ଅଜ୍ଞାନର ପାଦପ ଲତାରେ
ଅଟେ ସଦ୍ୟ ବିଶ୍ଳେଷଣ ।।
ତୁମେ ଶାଶ୍ବତର ସୁବର୍ଣ୍ଣ ସୁରଭି
ବିଶ୍ୱାସର ଶିରୋନାମା ।
ମୁଁ ଯେ ଅସ୍ତବ୍ୟସ୍ତ ଶ୍ରଦ୍ଧା ବଦ୍ଧତାର
ସଂକଳ୍ପର ଚୁକ୍ତିନାମା ।।
ତୁମେ ବିଶ୍ବାତୀତା ତୁମେ ବିଶ୍ବଗତା
ସ୍ପନ୍ଦନରେ ବ୍ୟଷ୍ଟିଗତ ।
ମୁଁ ଯେ ପୂଜାର୍ଚ୍ଚନା ନୈବେଦ୍ୟ ନିକଟେ
ତୁମ ପଦେ ଉପଗତ ।।