ଜୟ କୁମାର ମିଶ୍ର, ଗଜପତି, ୩୧ ମଇ ୨୦୨୩
ଅରଣ୍ୟ ରୋଦନ, କରେ ହୀନିମାନ
ଲୋକ ହସା ହେବା ସାର,
ହକ, ନ୍ୟାୟ ପାଇଁ, ଲଢ଼ିବାର ପାଇଁ
ହୁଅ ବନ୍ଧୁ ଆଗୁସାର ।।
ଅନ୍ଧ ବୁଝାବଣା, ସ୍ବାର୍ଥ କରେ ବଣା
ଅମାନବ ହୀନ ତୃଷା,
ପଶୁ, ପକ୍ଷୀ ମନ, ଦୟାରେ ଆଚ୍ଛନ୍ନ
ଆଶା କରି ଘରେ ପୋଷା ।।
ନିଜେ ଭାବେ ପ୍ରଭୁ, ମୂଢ଼ତାରେ କାବୁ
ବଳି, ବଳିଆର ପ୍ରଭୁ,
ଅହଂ, ମଦମତ୍ତ, ଗତିଟି ଅପଥ
ମୁଁ, ମୁଁ କାର ସବୁ ।।
ଅବୁଝା ମଣିଷ, ଅବିଵେକୀ ଈଶ
ମନମାନି କାରବାର,
ଯାହା ସେ ବୁଝଇ, ତାହା ସେ କରଇ
ବିବେକକୁ କରେ ପର ।।
କ୍ଷମତା ପାଗଳ, ବିଭବର ବଳ
ଚିନ୍ତା, ଚେତନାକୁ ହାରେ,
ହାରି, ଗୁହାରୀକୁ, କାନ ଶୁଣିବାକୁ
ଅନିଛା ପ୍ରକାଶ କରେ ।।
ଗୁରୁ, ଗୁରୁଜନ, ଜ୍ଞାନ, ଗୁଣ, ମାନ
ବିଚାର କରେନା ମନ
ଅଳପ ପାଣିରେ, କେରାଣ୍ଡି ପରାଏ
ବିତାଏ ନିଜର ଦିନ ।।
ହୀତ ଉପଦେଶ, ଲାଗୁଥାଏ ବିଷ
ସାଧୁ, ସନ୍ଥ ହୁଏ ଶତ୍ରୁ,
ଅହଂ, ଅହଂକାର, ହୀତଶତ୍ରୁ ତାର
ଖାଏ ଗୁଣ ଓ ଚରିତ୍ର ।।
ନ୍ୟାୟ କଥା ବାର୍ତ୍ତା, ଅରୁଚି ଓ ପିତା
ମୂଢ଼, ଚୋର, ଖଣ୍ଟ ପାଶେ,
ଦାଗିଦାର ବାଟ, ସଦା ସେ ଅବାଟ
ନିରୀହ ସମ୍ପତି ଶୋଷେ ।।
ଭଡାଟିଆ ଗୁଣ୍ଡା, ଅଜ୍ଞାନର ମେଣ୍ଢା
ସାଜେ, ଭକ୍ତ ଅନୁଚର,
ଲଭି ସେ ପାଉଣା, କରି ମତିବଣା
କରେ କାଣ୍ଡ ଭୟଙ୍କର ।।
କୁକୁର ପାଇଟି, ଅଇଁଠା ଖାଏଟି
ଘାତକକୁ ସମର୍ଥନ,
ନେତା ଖାଏ ଲୁଟି, ଦେଇ ବାସିରୁଟି
କହି ମଧୁର ବଚନ ।।
ମାରଇ ଝୀଂଟିକା, ବଣି ପୋଷେ ଏକା
ଚୁପ, ସଇତାନୀ ହୋଇ,
ଅନ୍ୟାୟକୁ ନ୍ୟାୟ, ନ୍ୟାୟକୁ ଅନ୍ୟାୟ
ଆପଣା ସ୍ୱାର୍ଥରେ କହି ।।
ଅନ୍ଧ ରାଇଜରେ, ଅନ୍ଧର ବିଚାରେ
ସଭାରେ ମଣିଷ ଶସ୍ତା,
କହି ଗଲେ ଦୁଃଖ, ଅଟହାସ୍ୟ ବାକ୍ୟ
ଅପମାନ ମୁଣ୍ଡ ପୋତା ।।
ସମୟ ସୁଅରେ, କେହି ହୋଇ ପାରେ
ସାମୟିକ ବାହୁବଳି
କରି ଷଡଯନ୍ତ୍ର, କାନ କୁହାମନ୍ତ୍ର
ଘରେ, ପରିବାରେ କଳି ।।
ଗୋଷ୍ଠୀରେ ବିବାଦ, କେତେ ମତ ଭେଦ
ଗାଆଁ, ସାହି ଫଡ଼ା ଫଡ଼ା,
ବିକାଶ, ଉନ୍ନତି ହୁଏ ଅଧୋଗତି
ରାଜନୀତି, ବାଟେ ଛିଡା ।।
କେତେ ପେଞ୍ଚପାଞ୍ଚ, ମୋଟା ଅଙ୍କ ଲାଞ୍ଚ
ଆପଣା ସୁବିଧା ପାଇଁ,
ସମୂହ ସ୍ୱାର୍ଥଟି, ଯାଏ ଆପେ ହଟି
ମନ୍ଦ କରମକୁ ସହି ।।