ସସ୍ମିତା ପଣ୍ଡା, କଟକ, ୧୪ ଡିସେମ୍ବର ୨୦୨୨
ମୁଁ ଜାଣିଥିଲି ତୁ ଏମିତି
ସମୟ ସହିତ ସନ୍ଧି କରିଛୁ
ଅଣ୍ଟିରେ ଅଣ୍ଟିଏ ଲାଳସା ରଖି
ପ୍ରତାରଣାର ପ୍ରୟୋଗଶାଳାରେ
ନିଜକୁ ସାମିଲ କରି
ପୋଷ ପୋଷ ଅହମିକାର ଅଳନ୍ଧୁ
ଭିତରୁ
ତୁ ଖୋଜିବୁଲୁଛୁ ନିଜକୁ
ଖୁବ୍ ଅସ୍ତବ୍ୟସ୍ତ ହୋଇ ।
ସ୍ବାର୍ଥର କୁଟିଳ ଧୁଆଁ କୁଣ୍ଡଳିରେ
ନୁଆଣିଆ ବୟସରେ
ବ୍ୟତିକ୍ରମ ସମୟର
ଇଟିକିଲି ମିଟିମିଲି ଖେଳରେ
କଣ୍ଠାଗ୍ରତ ସଞ୍ଜରୁ ସକାଳ
ସକାଳରୁ ସଞ୍ଜ
ଈର୍ଷାର ବର୍ଷାରେ ।
କେତେ ସରଳ ପ୍ରତଦ୍ବନ୍ଦୀ ତୁ
ସତରେ
ରଙ୍ଗଣୀରୁ ରାଣୀ ହେବାକୁ
ଦିନବୁଡ଼େ କାନକୁହା କଥାରେ
କଲମରୁ କଳମ ଲାଞ୍ଛିତ ଶବ୍ଦରେ
କଳିର କାଳିରେ
ମାଳିର ମଳିରେ
ପ୍ରମତ୍ତ ପ୍ରହେଳିକାରେ
ସାତସିଆଁ ଅନୁଭବରେ
ଅଦିନ ଅନ୍ଧାରେ ଉଆଁସ ଉଆସରେ
ଅପରିଚିତ ପ୍ରତିଦ୍ବନ୍ଦୀ ହୋଇ
ବଞ୍ଚି ରୁହ ଏମିତି ମୋ ପଶ୍ଚାତର
ଗର୍ତ୍ତଗୃହରେ ।