ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୧ ଅକ୍ଟୋବର ୨୦୨୨
ବାହୁ ମେଲି ତୁମେ ବସିଛ ଠାକୁରେ
ନିଃସ୍ୱ କି ଯାଇଛ ହୋଇ
ଦେବା ପାଇଁ କିଛି ଚାହୁଁ ନାହଁ ବୋଲି
ଯାଇଛ ଏପରି ହୋଇ
ବିଶ୍ୱକୁ ଦିଅ ଦେଖାଇ
ସଭିଏଁ ପାଆନ୍ତି ନିଜ କର୍ମ ଫଳ
ତୁମେ କିଛି କର ନାହିଁ.
ଦେଖିଅଛି ନର ସାଧାରଣ ଭାବେ
ସେ ହାତେ ପାପୁଲି ନାହିଁ
ପାପୁଲି ଯାହାର ନାହିଁ ଜଗନ୍ନାଥ
ପାରେନା ସେ କିଛି ଦେଇ
ମୂଢ଼ ବୁଝି ନ ପାରଇ
ତୁମେ ନ ଚାହିଁଲେ ହଲେ ନାହିଁ ପତ୍ର
ଫଳ ଯେ ଫଳିବ କାହିଁ.
କହିଅଛ ତୁମେ ଶ୍ରୀମୁଖରେ ପ୍ରଭୁ
ସବୁ ଧର୍ମ ଛାଡି ଦେଇ
ତୁମର ଶରଣେ ଯିବା ପାଇଁ ନାଥ
ସମର୍ପଣ ଭାବ ବହି
ମନ ଚଇତନ ଦେଇ
ସେତେବେଳେ ତୁମେ ଆପଣାର କରି
ବାହୁରେ ନେବ କୋଳେଇ.
କର୍ମ କିନ୍ତୁ ପ୍ରଭୁ ଛାଡ଼ିବା ପାଇଁକି
କହିନାହଁ କେଉଁଠାରେ
ବିନା କର୍ମେ କିଛି ହୁଏ ନାହିଁ ପ୍ରାପ୍ତ
କର୍ମ ହିଁ ଧର୍ମ ସଂସାରେ
ସୁ କର୍ମ ରାସ୍ତା ଯେ ଧରେ
ତା ପାଇଁ ପ୍ରଭୁ ସବୁ ଦେଇ ଥାଅ
ତୁମ ସେ ଅଧା ହାତରେ.