ସସ୍ମିତା ପଣ୍ଡା, କଟକ, ୧୩ ଜୁଲାଇ ୨୦୨୩
ତୁମେ ଆସିଲେ
ଋତୁ ବଦଳାଏ ଦିଗ
ମାଟି ଛୁଇଁଲେ ରଜବତୀ
ଟୁପୁରୁ ଟାପୁରୁ ଗପରେ
ଭିଜିଯାଏ କବିତାର ପଂକ୍ତି ।।
ଯୁଆନ ଅନ୍ଧାର ତଳେ
ଚହଟେ ମୌସୁମୀ
ରେଶମୀ ଦେହ ଉଜାଏ ସାଧବ ବୋହୂ
ନିରୋଳାରେ ନୀଳ ଉଦ୍ଦୀପନା
ବଉଦର ହାଟ ବସେ
ତୁମକଥା କହୁକହୁ ।।
ଚାତକର ଆଷାଢି ଆଳାପ
ହୃଦୟର ପ୍ରିୟପତ୍ର ଲେଖି
ଛଳଛଳ ଶବ୍ଦରାସ
ନିରୁଦ୍ଧିଷ୍ଟ ପାଦଦେଶ
ସହଜରେ ମାଜି ହୁଏ ଆକାଶର ଛାତି ।।
ପଖାଳିଛି ଇନ୍ଦ୍ରଧନୁ
ଶୂନ୍ୟତାରୁ ରଙ୍ଗର ବିସ୍ମୟ
ମେଘରଥେ ମୟୂର ଚନ୍ଦ୍ରିକା
ପାଦେ ପାଦେ ଝୁଣ୍ଟି ପଡ଼େ
ଚତୁରୀ ରାଧିକା ।।
ଭଲପାଏ ବୋଲି
ସବୁଜ ସଙ୍କେତ ଆଙ୍କି
କେତେ ହୁଏ ଆନମନା କଦମ୍ବର ଗଭା
ପୀରତିର ମୁଲକରେ
ଯମୁନାର ଉଜାଣି ରେ
ପ୍ରେମ ଯାଚେ ନଇବେଦ୍ୟ
ପ୍ରଣୟିନୀ ଆଭା ।।