ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୬ ଜୁଲାଇ ୨୦୨୩
ବସା ବାନ୍ଧିଥିବା ଚଢ଼େଇ ଯେମିତି
ଛାଡ଼ି ଦିଏ ନିଡ଼ ତା’ର
ମୁଁ ସେମିତି ଦିନେ ଉଡ଼ିଯିବି ଛାଡ଼ି
ସବୁ ମାୟା ଜୀବନର । ୧ ।
କବିତା ବି ଥିବ ସଙ୍ଗୀତ ବି ଥିବ
ସବୁ ଥିବ ଆଗ ପରି
ଟୋପା ଟୋପା ଟୋପା ରାତିର ଆଖିରୁ
ଲୁହ ପଡ଼ୁଥିବ ଝରି ।
ମୁଁ ସେମିତି ଦିନେ ଉଡ଼ିଯିବି ଛାଡ଼ି
ସବୁ ମାୟା ଜୀବନର । ୨ ।
ସମୟ ତ ଦିନେ ପୋଛି ଦେଇ ଯିବ
ହାତ ପାପୁଲିରେ ତା’ର
ଭଲ ପାଇବାର ଭୂମିକା ଭିତରେ
ସ୍ଵରଲିପି ଅତୀତର
ହୃଦ ସିନ୍ଦୂକରେ ସାଇତା ଯେ ଥିବ
ସ୍ମୃତିର ହସ୍ତାକ୍ଷର । ୩ ।
ମରିଚିକା ପଛେ ଗୋଡ଼ାଇ ହେବାକି
ଶେଷ କଥା ଜୀବନର ।
ମୁଁ ସେମିତି ଦିନେ ଉଡ଼ିଯିବି ଛାଡ଼ି
ସବୁ ମାୟା ଜୀବନର । ୪ ।