ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୨ ଫେବୃଆରୀ ୨୦୨୩
ବାଟ ଚାଲୁ ଚାଲୁ ଝୁଣ୍ଟି ମୁଁ ପଡ଼ିଲେ
ମନେ ପଡ଼ୁ ତୁହି ମା
ପାଉ ନାହିଁ ଆଉ କାହାକୁ ଜଣେମୁଁ
କହିଦେବ ଯିଏ ଆହା.
ଶରୀର ଅସୁସ୍ଥ ହୋଇଗଲେ ମା
ତୋର ହାତ ଝୁରି ହେଉଛି
ହାତ ତୋର ଦେହେ ବାଜି ଗଲେ ଥରେ
ସବୁ ଯନ୍ତ୍ରଣା ମୁଁ ଭୁଲିଛି.
ଶୀତ କାକର ରେ ଥରୁଥିବା ବେଳେ
ତୋ ପଣତ ମୁଁ ଖୋଜିଛି
ତା’ର କାନି ଦେହେ ପଡି ଗଲା ପରେ
ଶୀତ ଛାଡ଼ି ଚାଲିଯାଇଛି.
ମନରେ ଅଶାନ୍ତି ଯେବେ ବଢ଼ି ଯାଏ
ତୋର କଥା ମନେ ପଡିଛି
ମଧୁଝରା ତୋର ପଦିଏ କଥାରେ
ଅଶାନ୍ତି ହୃଦୟୁ ଯାଇଛି.
ଜୀବନର ପ୍ରତି ପଦପାତେ ଆଜି
ତୋ ସାହାରା ମା ଲୋଡ଼ୁଛି
ସପନରେ ତୁହି ଦେଖା ଦେଉ ହେଲେ
ସ୍ବଦେହେ ତୋତେ କି ପାଉଛି.
ମା ତୋତେ ଝୁରି ହେଉଛି.