ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧ ମାର୍ଚ୍ଚ ୨୦୨୩
ବୟସ ବଢ଼ିଛି
ଅଭିଜ୍ଞ ହୋଇଛି
ଚାହେଁ ମୁଁ ପଛକୁ ଫେରି,
ଗାଉଥିଲା ମା’
ଗୀତ ନାନା ବାୟା
କି ଅର୍ଥ ଥିଲା ତାହାରି.
ତଥାପି ତ ମୋତେ ଲାଗୁଥିଲା ତାହା
ଓଁ କାର ଶବଦ ପରି.
ରୁଚି ବଦଳିଛି
ଖାଦ୍ୟ ବଦଳିଛି
ଖାଏ ମୁଁ ଆନକୁ ଦେଖି
କରୁଥିଲି ଆଁ
ଖୋଉଥିଲା ମା
ଦେହକୁ ମୋର ପରଖି
ସ୍ୱାଦ ତା’ର କିସ ଥିଲା କି ନ ଥିଲା
ମହାପ୍ରସାଦ ତା ଲାଖି.
ନିଜେ ମୁଁ ଚାଲୁଛି
ଝୁଣ୍ଟିବି ପଡୁଛି
ନିଜେ କଷ୍ଟ ପାଏ ଯାହା
ଶିଖୁ ଥିଲି ଚାଲି
ପଡି ଯାଉ ଥିଲି
କହୁଥିଲା ମା’ଆହା
ତୋଳି ନେଇ ମା’ ଝାଡୁଥିଲା ଧୂଳି
କଷ୍ଟ ହରୁଥିଲା ମା’.
ଦୋଷ କରୁଅଛି
ନିନ୍ଦା ପାଉଅଛି
କରୁନି ତାଗିଦ କିଏ,
ଶୈଶବ କାଳରେ
ଦୋଷ କଲେ ଥରେ
ମା’ ତା ମୁଣ୍ଡକୁ ନିଏ
କୋଳରେ ବସାଇ ମା ଶରଧା ରେ
ସତ ମାର୍ଗ ସେ ଦେଖାଏ.