ସସ୍ମିତା ପଣ୍ଡା, କଟକ, ୩୧ ଡିସେମ୍ବର ୨୦୨୨
ନଖକୋଣେ ଯାର ବିରାଜେ ଜାହ୍ନବୀ
ସପ୍ତସିନ୍ଧୁ ଯା’ ପୟର ।
କେମିତି ଧୋଇବ ତୁମ ଶ୍ରୀପଦକୁ
ମୋ ନୟନ ଅଶ୍ରୁଧାର ।।
କେଉଁ ଫୁଲ ଦେଇ କରିବି ଅର୍ଚ୍ଚନା
ଅରପିବି କେଉଁ ବାସ ।
ସବୁ ମହକରେ ତୁମେ ତ ଆରମ୍ଭ
ସବୁ ସୁଗନ୍ଧରେ ଶେଷ ।।
କେମିତି ଆଙ୍କିବି କସ୍ତୁରୀ ତିଳକ
କେଉଁ ମୁଗ୍ଧ ତୂଳୀକାରେ ।
ଜନ୍ମଜନ୍ମାନ୍ତର କଳୁଷ କାଳିମା
ଭରା ଅଛି ମୋ ଅନ୍ତରେ ।।
କେମିତି ଗାଇବି ତୁମ ମହାମନ୍ତ୍ର
ତୁମରି ଗାୟତ୍ରୀ ଗୀତା ।
ଏଇ ହୃଦୟରେ ରୁଚି ଅଭିରୁଚି
କେତେ ଯେ ହୋଇଛି ଗୁନ୍ଥା ।।
କେମିତି କରିବି ତୁମ ନିରାଜନା
କେଉଁ ଶୁଭ୍ର ସଳିତାରେ ।
ମିଥ୍ୟା ଅହମିକା କେତେ ଯେ କାଳିମା
ଭରାଅଛି ମୋ ଭିତରେ ।।
ଆହେ ମହାପ୍ରଭୁ କରୁଣା ସାଗର
କୃପା ବାରି ସିଞ୍ଚି ଥରେ ।
ମହକାଇ ଦିଅ ଏଇ ଜୀବନକୁ
ତୁମ ଅଖଣ୍ଡିତ ମହକରେ ।।