ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨ ମଇ ୨୦୨୪
ମୁହିଁ ରହିଅଛି ଗଭୀର ଚିନ୍ତାରେ
ଭାଙ୍ଗିଯାଉଅଛି ଷଠିଘର
ମୋ ଘରୁ ମୋ ଶବ ଉଠିବକି ନାହିଁ
ତାହା ଚିନ୍ତାର କାରଣ ମୋର.
ଏ ଘର ଅଗଣା ଶୈଶବେ ମୋହର
ଥିଲା ଖେଳିବାର କ୍ଷେତ୍ର ଟିଏ
ବସି ଏହିଠାରେ ପଢି ଶିଖିଛି ମୁଁ
ବୁଢୀମା କୋଳେ ବସିକି ଖାଏ.
ବାପାଙ୍କର ହାତ ଧରି ମୁଁ ଚାଲିଛି
ଶୁଣିଛି ତାଙ୍କ ଆକଟ କେତେ
ମା’ ତା ପଣତ ଦେଇଅଛି ପାରି
ନିର୍ଭୟେ ଶୋଇଛି ସେ ପଣତେ.
ମାନ ଅଭିମାନ କରିଛି ଏ ଘରେ
ହସିଛି କାନ୍ଦିଛି କେତେ ଯେ ମୁହିଁ
ହସରେ କାନ୍ଦରେ ମୋର ମାତା ପିତା
ମୋ ସାଥେ ରହନ୍ତି ତାଳ ମିଳାଇ.
ମୋ ଜୀବନ ସାଥୀ ସାଥେ ଏଇଠି ମୁଁ
ବାନ୍ଧି ହୋଇଅଛି ପୂତ ବନ୍ଧନେ
ସୁଖେ ଦୁଃଖେ ଆମ ଦାମ୍ପତ୍ୟ ଜୀବନ
କଟିଛି ଉଚ୍ଚରେ ପୁଣି ପତନେ.
ହୋଇଅଛୁ ପୁଣି ଆମେ ବାପା ମା’ ଏଠି
କୋଳକୁ ଆସିଛି କନ୍ୟା ସନ୍ତାନ
ସେହି ସନ୍ତାନ ର କୁଆଁ କୁଆଁ ରବେ
ହୋଇଛି ଆମର ଜୀବନ ଧନ୍ୟ.
ମାତା ପିତା ଶବ ଏଇଠୁ ଉଠିଛି
ହୋଇଯାଇଅଛି ଛେଉଣ୍ଡ ମୁହିଁ
ସ୍ମରଣ କରିଛି ମାତା ପିତା ମୁହଁ
କାନ୍ଦିଛି କେତେ ମୁଁ ମୁହଁ ଲୁଚାଇ.
ମୋ ପୁଅ ଝିଅଙ୍କ ମାଙ୍ଗଳିକ କାର୍ଯ୍ୟ
କରିଛି ଆନନ୍ଦେ ଏ ଘରେ ମୁହିଁ
ଲିପିପୋଛି ଏହି ଘରକୁ ଶ୍ରଦ୍ଧାରେ
ଏତେ ଦିନ ଯାଏ ଥିଲି ବଞ୍ଚାଇ.
ସୃଷ୍ଟି ସ୍ଥିତି ଆଉ ବିଲୟ ଶାଶ୍ୱତ
ଏହି ସୃଷ୍ଟିର ତ ନିୟମ ଏହା
ସବୁ ଜାଣି ମୁହିଁ ହୃଦୟେ ମୋହର
କୋହ ଉଠାଇ କାନ୍ଦୁଛି ଯାହା.