ସସ୍ମିତା ପଣ୍ଡା, କଟକ, ୧୬ ଜାନୁଆରୀ ୨୦୨୫
କଣ ଲେଖି ପାରିବି
କବିତା ପରି କିଛି
ଗୋଟେ ଅପହଞ୍ଚ ଠିକଣାକୁ
କେଉଁ ଶବ୍ଦ ପାରିବି ମୁଁ ଯାଚି?
ଗୋଟେ ଅଲୋଡ଼ା ମଣିଷକୁ
ସାଇତି ପାରେ କେହିଜଣେ
ଦୁଃଖର ଆଖିରେ ନଥାଏ ମଳିଧୂଳି
ଥାଏ ନିଗିଡ଼ା କ୍ଳାନ୍ତି
ଅବା ନିବିଡ଼ ସ୍ମୃତି
ଝରିଗଲେ ଖୁବ୍ ଶାନ୍ତି।।
ମୁନ ନଥିବା କଲମକୁ
ଶୂନ୍ୟର ଦୁଆତ
ଅଭିମାନର ମିଠାମିଛ
ସ୍ବାଭିମାନର ଭାରିପଣ
ଫେଣ୍ଟି ହେଉଥିବା ନୀଳପ୍ରେମ
ବଳକା କଥା ସବୁ ଏତିକିରେ ଶେଷ।।
ନୀରବରେ ପାଳିବାକୁ ହୁଏ
ସବୁକିଛି
ଚିହ୍ନିବା ଆଉ ଜାଣିବାରେ
ଫରକ ବେଶୀ
ଅକ୍ଟୋବର ଫେରିଯିବା ପରେ
ପାରି ହେବାକୁ ଅଛି ନୀଳସମୁଦ୍ର
କେହିଜଣେ କଣ ମୋ
ଅକୁହା କଥାକୁ
ମନେରଖି ବସିଛି।।
ସେ ଶୂନ୍ୟ ଆକାଶକୁ ନେଇ
ଆଙ୍କିବ ଛବି
ନା ହେଇପାରିବ
ଶବ୍ଦ ବସାଣରେ ଗୋଟେ କବି
ନା ଅଛି ହାତ ନା ଅଛି ଆଖି
ଅତିପଣରେ ଇତି
ସେ କ’ଣ ହୋଇପାରେ ନୀଳ ସରସ୍ୱତୀ??