ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୨ ଜୁନ୍ ୨୦୨୩
ବିଚିତ୍ର କର୍ମା ହେ ପ୍ରଭୁ ଜଗନ୍ନାଥ
ତୁମେ ହିଁ ବିଚିତ୍ର ବର୍ଣ୍ଣା
ବିଶ୍ୱହିତ ପାଇଁ ତୁମେ ବିଶ୍ୱପତି
ହୁଅ ତ ବିଚିତ୍ର ମନା
ସେ କର୍ମ ସେ ବର୍ଣ୍ଣ ଆଉ ସେହି ମନ
ବୁଝିହୁଏ ନାହିଁ ଯମା ।
ବିଚିତ୍ର ତୁମର ହସ ଜଗନ୍ନାଥ
ବିଚିତ୍ର ତାହାର ମର୍ମ
କେତେବେଳେ ତୁମେ ହସ କେଉଁପରି
ତୁମେ ବୁଝ ତା’ର ମର୍ମ
ସେ ହସ ପରଶ ପାଇଲେ ମଣିଷ
ଭୁଲଇ ପାର୍ଥିବ କର୍ମ ।
ବିଚିତ୍ର ତୁମର ଭାବ ଜଗନ୍ନାଥ
ବିଚିତ୍ର ତାହାର ରୂପ
ଭକତ ର ଭାବ ତୁମେ ଏକା ଜାଣ
ଚିହ୍ନ ବି ତା’ର ସ୍ୱରୂପ
ଭକତ ର ଭକ୍ତି ଭାବ ସମର୍ପଣ
ତୁମେ ଜାଣ ତା’ର ତପ ।
ବିଚିତ୍ର ତୁମର ଦାନ ଜଗନ୍ନାଥ
ବିଚିତ୍ର ତୁମ ବିଚାର
ତୁମ ପାଶେ ଯିଏ ହୁଏ ସମର୍ପିତ
ପାଏ ପସରା ଦୁଃଖର
ତୁମେ ଦାନ ଦାତା ତୁମେହିଁ ଗ୍ରହୀତା
ତୁମେ ଧାରକ ସୃଷ୍ଟିର ।