ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୩୦ ଜାନୁଆରୀ ୨୦୨୪
ବିଧାନସଭା ବସିବ
ନେତାଙ୍କ ଗର୍ଜନ ଶୁଭିବ
ହୋହାଲ୍ଲା ଜାରି ରହିବ
ସଭାଗୃହ ଅଚଳ ହେବ
ଲୋକ ଚାହିଁ ବସିଥିବେ
(ତାଙ୍କୁ) ସୁଫଳ କେବେ ମିଳିବ ।। ୧ ।।
ବିଧାନସଭା ବସିବ
ଘମାଘୋଟ ଚର୍ଚ୍ଚା ଚାଲିବ
ପ୍ରସଙ୍ଗ ଅପ୍ରସଙ୍ଗ ହେବ
ଅପ୍ରସଙ୍ଗ ବିସ୍ତରୀ ଯିବ
ଅସଲ ପ୍ରସଙ୍ଗଗୁଡ଼ିକ
କୁଆଡ଼େ ଉଭେଇ ଯିବ ।। ୨ ।।
ବିଧାନସଭା ବସିବ
ଧାରଣା, ବିକ୍ଷୋଭ ଚାଲିବ
ଶୋଭାଯାତ୍ରାମାନ ଆସିବ
ରାଜରାସ୍ତା ଭରି ଯିବ
ଦାବି ପୂରଣ ପାଇଁ କେତେ
ଦିନ ଓ ରାତି ବିତିବ ।। ୩ ।।
ବିଧାନସଭା ବସିବ
କେତେ ପ୍ରସଙ୍ଗ ଉଠିବ
ବିରୋଧୀ ଅଡ଼ି ବସିବ
ଶାସକ ଅଟଳ ରହିବ
ଗାନ୍ଧୀ ମୂର୍ତ୍ତି ତଳେ ବିରୋଧୀଙ୍କ
ଧାରଣା ଚାଲୁ ରହିବ ।। ୪ ।।
ବିଧାନସଭା ବସିବ
ବିଶୃଙ୍ଖଳା ଜାରି ରହିବ
ଚର୍ଚ୍ଚାରେ ବାଧା ଘଟିବ
ବୁଝାମଣା ବିଫଳ ହେବ
ବିଧାୟକଙ୍କ ଶୋଭାଯାତ୍ରା
ରାଜଭବନ ମୁହାଁଇବ ।। ୫ ।।
ବିଧାନସଭା ବସିବ
ବିରୋଧୀ ଗୃହରେ ଘେରିବ
ବାହାରେ ବିକ୍ଷୋଭ ଚାଲିବ
ସଭା କକ୍ଷ ଖାଲି ପଡ଼ିବ
ଅସଲ ବିଧାନସଭା ଚର୍ଚ୍ଚା
ଟିଭି ଷ୍ଟୁଡ଼ିଓରେ ହିଁ ହେବ ।। ୬ ।।
ବିଧାନସଭା ବସିବ
କଥା କଟାକଟି ଚାଲିବ
ହଠାତ୍ ଗୃହ ବନ୍ଦ ରହିବ
ବିରୋଧୀ ଜଳକା ହେବ
ଗଣତନ୍ତ୍ର ଗାରିମାରେ
କଳା ବାଦଲ ଘୋଟିବ ।। ୭ ।।