ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୩ ଅଗଷ୍ଟ ୨୦୨୪
ସେମାନେ ବିଧାୟକ
ଅଟନ୍ତି ଜନସେବକ
ଦିନ ରାତି କରି ଏକ
ଶୁଣନ୍ତି ଜନତାଙ୍କ ଶୋକ
ସାଜନ୍ତି ଆର୍ତ୍ତଜନଙ୍କ ରକ୍ଷକ
ତହିଁରେ ଲଭନ୍ତି ଅପାର ପୁଲକ ।।
ସେମାନେ କୋଟିପତି ବିଧାୟକ
ସଂଖ୍ୟାରେ ଅଛନ୍ତି ଯଥେଷ୍ଟ ଅଧିକ
ତାଙ୍କର ରହିଛି ନିଜସ୍ୱ ଚମକ
ଶିରରେ ମଣ୍ଡିତ କ୍ଷମତାର ମୁକୁଟ
ସାଜିଛନ୍ତି ସେମାନେ ବିକାଶର ବାହକ ।।
ସେମାନେ ବାହୁବଳୀ ବିଧାୟକ
ନାଁରେ ରହିଛି ମାମଲା ଅପରାଧିକ
ତଥାପି ସେମାନେ ଲୋକଙ୍କ ଶାସକ
ଜନତାଙ୍କୁ ଶୁଣାନ୍ତି ବହୁ ଆପ୍ତବାକ୍ୟ
ଶାସନେ ରହିଛି ତାଙ୍କର ପ୍ରଭାବ ବ୍ୟାପକ ।।
ସେମାନେ ବିଧାୟକ
ଜନସେବାରେ ରଖିଛନ୍ତି ସଉକ
ଗୃହରେ ଉଠାନ୍ତି ପ୍ରଶ୍ନ ବୈଧାନିକ
ଅନୁମୋଦନ କରନ୍ତି ବିଧେୟକ
ସମାଜେ ରହିଛି ତାଙ୍କର ସ୍ୱତନ୍ତ୍ର ଝଲକ ।।