ସସ୍ମିତା ପଣ୍ଡା, କଟକ, ୬ ଡିସେମ୍ବର ୨୦୨୨
ମୋତେ ଆଉ ପଚାରନି
ଆଖିତଳ ଉଷୁମ ଲୁହର ନିର୍ବାକ କାହାଣୀ ।
କୋହଫିଟା ଅଭିମାନରେ
ମୁଠାମୁଠା ସ୍ବାଭିମାନରେ
ପ୍ରଶ୍ନ ପତ୍ରର ସାରଣୀ
ମୋ ପାଇଁ ଗପଗୁନ୍ଥେ ନିତି ନିତି
ମୋ ଭାଗ୍ୟର ବୁଢ଼ୀ ଅସୁରୁଣୀ ।
ମୋତେ ଆଉ ଶୁଣାଅନି
ପବିତ୍ର ମିଛର ଅପବାଦ
ବହୁ ଦିନୁ ଶୁଣି ସାରିଛି
ବଞ୍ଚିବା ଭିତରୁ ବଞ୍ଚୁଥିବା ଯାଏ
କଟାକ୍ଷର କଣ୍ଟାଶେଯେ
ପ୍ରତିକ୍ଷଣେ ସଜାଡୁଥିବା
ଯୂଇର ବିଷମ ସମ୍ବାଦ ।।
ମୋତେ ଆଉ ଦେଖାଅନି
ଅତୀତର ସେ ଅତର ବୋଳା ଚିଠି ।
ମୁଁ ଦେଖି ସାରିଲିଣି
ବିକଳ ଭଅଁର ଯେଉଁଠି
କରୁଥିଲା କଟାଳ
ବଗିଚାର ପାପୁଲିରେ
ମୋହମୁଦ ମନର ଶ୍ବାସଶବ୍ଦେ
ଅବୁଝା ସୃଷ୍ଟିକୁ ।।
ମୋତେ ଆଉ ଶିଖାଅନି
ସଞ୍ଜ ସେପାଖରୁ ଜୀବନର ଚିତ୍ରକଳା
ଅତିଷ୍ଠ ଅତୀତର ଭଙ୍ଗା ଥାଳେ
ସୂର୍ଯ୍ୟାସ୍ତରଙ୍ଗ ବଦଳା ବେଳେ
ମୁଁ ଦେଖି ସାରିଛି ଉଆଁସର ଉଆସରେ
ମୃତ୍ୟୁ କେମିତି ମୋ ପାଖରୁ ବାରବାର ଫେରେ ।।