ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୦ ଜୁନ୍ ୨୦୨୫
ବିକଶିତ ଓଡ଼ିଶା ଦେଖିବା ପାଇଁ,
ଓଡ଼ିଆ ଉତ୍ସାହେ ଅଛି ଅନାଇ।
ଏ ରାଇଜ କେବେରେ ଉତ୍କର୍ଷ ହେବ,
ବିକାଶ ଗାଡ଼ିର ଡବା ସାଜିବ।
ବଡ଼ ଶିଳ୍ପ ପ୍ରକଳ୍ପ କେବେ ବସିବ,
ଦାଦନ ବ୍ୟବସ୍ଥା ଲୋପ ପାଇବ।
ବେରୋଜଗାର ସାତ ସପନ ହେବ,
ଓଡ଼ିଆ ଏଠାରେ ଧନୀ ହୋଇବ ।।୧।।
ରତ୍ନଗର୍ଭା ଆମରି ଓଡ଼ିଶା ଭୂଇଁ,
ମାଟି ତଳେ ରତ୍ନ ରହିଛି ଶୋଇ।
ଆମ ରତ୍ନ ରାଜ୍ୟ ବାହାରେ ଯାଇ,
ଓଡ଼ିଶା ଫେରୁଛି ମାଣିକ ହୋଇ।
ଆମ ଲୋକ ରାଜ୍ୟରେ କାମ ନପାଇ,
ବାହାରେ ଖଟନ୍ତି ଦାଦନ ହୋଇ।
ସରକରୀ ଦପ୍ତରକୁ ଧାଇଁ ଧାଇଁ,
ଜନତା ସମସ୍ୟା ସୁଧୁରୁ ନାଇଁ ।।୨।।
ନେତା କହୁଛନ୍ତି ଏ ରାଜ୍ୟରେ କେହି,
ବେରୋଜଗାରରେ ରହିବେ ନାହିଁ।
ମୌଳିକ ସମସ୍ୟାର ଅନ୍ତ ଘଟିବ,
ଦର ବୃଦ୍ଧିରେ ଲଗାମ ଲାଗିବ।
ବିକାଶର ଧାରା ଦୁଇ ଗୁଣ ହେବ,
ଓଡ଼ିଶା ମାଟିରେ ସୁନା ଫଳିବ।
ଓଡ଼ିଶା ବିକଶିତ ରାଜ୍ୟ ହୋଇବ,
ରାମ ରାଜ୍ୟ ଏଠି ଗଢ଼ି ଉଠିବ।
ଆମ ଭଉଣୀ ଭାଇ, ଅଛନ୍ତି ଚାହିଁ
ସୁନାର ଓଡ଼ିଶା ଦେଖିବା ପାଇଁ ।।୩।।