ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୨ ଜୁଲାଇ ୨୦୨୪
ତୁମେ ହେ ଅନନ୍ତ ବିଶ୍ୱର ଧାରକ
ଚଞ୍ଚଳ ପ୍ରକୃତି କାମପାଳ
ତୁମେ ସତ୍ୟ ଶିବ ସୁନ୍ଦର ପ୍ରଭୁହେ
ଶ୍ରୀବିଷ୍ଣୁ ଆଶ୍ରୟ ତୁମ କୋଳ.
ଧର୍ମ ପ୍ରତିଷ୍ଠାରେ ବିଶ୍ୱ କର୍ତ୍ତା ସଙ୍ଗେ
ଯୁଗେ ଯୁଗେ ତୁମେ ସହଚର
ଜଗା କଥା ରକ୍ଷା ପାଇଁ ବଳଦେବ
ତୁମେ ସଦାକାଳେ ତତପର.
ତାଳଧ୍ବଜେ ତୁମେ ହୋଇ ବିରାଜିତ
ଭାଇ ଭଗ୍ନୀ ସଙ୍ଗେ ଯାତ୍ରା କର
ଜନ୍ମ ବେଦିକା ରେ ଉଭା ହୋଇ ନାଥ
ଭକ୍ତ ଦୁଃଖ କଷ୍ଟ କର ଦୂର.
ବଡ଼ ତୁମେ ସିନା ହେ ବଡ଼ ଠାକୁର
ତୁମ ର ଜୀବନ ଜଗନ୍ନାଥ
ତାଙ୍କରି ଆଦେଶେ ହେ ରେବତୀ କାନ୍ତ
କାମନା ତୁମର ବିଶ୍ୱହିତ.
କେଉଁ ତ୍ରୁଟି ଦେଖି କହ ବଳଦେବ
ଏହି ଅଘଟଣ ଘଟାଇଲ
ନିଜେ ପଡିଯାଇ କଷ୍ଟ ତ ପାଇଲ
ଭକତ ଜନଙ୍କୁ କନ୍ଦାଇଲ.
କେଉଁ ବିପତ୍ତି ରେ ସୂଚନା ଏ ପ୍ରଭୁ
ବୁଝି ପାରୁନାହୁଁ ମୂଢ଼ ଜନ
କିଏ ଯଦି ପ୍ରଭୁ କରିଅଛି ଦୋଷ
ଏ ଜାତିକୁ କର କ୍ଷମା ଦାନ.
ଏ ଜାତିକୁ କର କ୍ଷମା ଦାନ.