ଜୟ କୁମାର ମିଶ୍ର, ଗଜପତି, ୧୭ ଜୁନ୍ ୨୦୨୩
ସୁବିଧା ବାଦୀଏଁ, ମଉଜରେ କୁହେ
ବୃଥା ପ୍ରତିଶୃତି ଦିଏ,
ଏଇସା କରିବି, ତେଇସା କରିବି
ବୃଥାଟାରେ କହୁଥାଏ ll
ସୁଯୋଗକୁ ଉଣ୍ଡି, କେତେ ଜଟି, ଭଣ୍ଡି
ତଣ୍ଡି ଖାଇ ଯାଏ ଧନ,
ଏଣୁ ତେଣୁ କୁହେ, ଭୁଆକୁ ବୁଲାଏ
ମୋହି ଅନୁଗାମୀ ମନ ll
ସବୁ କରିଦେବ, ସାହା ହୋଇଥିବ
କାୟା ପଛେ, ଛାୟା ପରି,
ମନର ବାଞ୍ଛାକୁ, ସବୁ ଭରିବାକୁ
ସଦା କରୁଥିବ ହୁରି ll
ଦେବ ସେ ସମ୍ମାନ, ସମ୍ବର୍ଦ୍ଧନା, ମାନ
କରେ ଦେଇ ମାନ ପତ୍ର,
ସଭାର ନାମରେ, ପାଉଣାଟି ପାରେ
ବଢ଼ାଏ ଭଦ୍ରାମୀ ହାତ ll
ଯିଏ ଯେତେ ଦେଲା, ପ୍ରଶ୍ୱସ୍ତିଟି ହେଲା
ନହେବା, ହେବାଟି ଭାରୀ,
ମଞ୍ଚ ଦୁଲିକିବ, ତାଳି ବାଜୁଥିବ
ମିଥ୍ୟା ଗୁଣାର୍ଣ୍ଣବ ହୁରି ll
ସେ ଏକ ବେପାର, ଶଠ ବୁଦ୍ଧିଆର
ଲୋକ ଦେଖାଣିଆ କାମ,
ମାଛର ତେଲରେ, ମାଛ ଭାଜି ବାରେ
ଆତ୍ମ ପ୍ରଚାରର ଶ୍ରମ ll
ବୋଲଇ ସେବକ, ସବୁରି ରକ୍ଷକ
ଗଣ ମାଧ୍ୟମରେ ଛପା,
କାମ ହେଉ ଛୋଟ, ପ୍ରଚାରଟି ମୋଟ
ଆପେ ହଳଦୀକୁ ଲିପା ll
ଏ ଏକ ଫେସନ, ବେଇମାନି ମନ
ଘର ବୁଡ଼ା, କଛା କଟା,
ବଡ଼ ପାରିବାର, ସବୁ କରମର
ଜନତାଙ୍କ ଠାରେ ହଟା ll
ହାତ ଲମ୍ବା ତାର, ପରିଚୟେ ବୀର
ରାଜ୍ୟ ରାଜଧାନୀ ଯାଏ,
ଦିଲ୍ଲୀରୁ ଡାକରା, ଝୁରା ଓ ମହୁରା
ସରଗ ଚାନ୍ଦଟି ସିଏ ll
ନିତି ପ୍ରଭାତରୁ, ରାତ୍ରି ହେବା ଯାଏ
ଧୋବ ଧଉଳିଆ ବେଶ,
ମଗା ତରକାରି, ପର ଗାଡ଼ି ଧରି
ଏଣେ ତେଣେ ଯାଆ ଆଶ ll
କଥାଟି ମଧୁର, ବିନମ୍ର ଓ ଧୀର
ସରୁ ସୂତା ଶଂଖୀ କାଟେ,
ଜଳନ୍ତା ଅନଳେ, କୀଟ ପଶେ ବଳେ
ନିରୀହ ସରଳ ପଟେ ll