ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୯ ଅପ୍ରେଲ ୨୦୨୪
ବ୍ୟସ୍ତ ଆଜି ମଣିଷ ଏଠି
ଶିଖର ଛୁଇଁବା ପାଇଁ,
ଦିନ ରାତି ଏକ କରେ
କାମରେ ତା’ ଆଦି ଅନ୍ତନାହିଁ ।। ୧ ।।
ବିଧାୟକ ବ୍ୟସ୍ତ ଏଠାରେ
ବିବ୍ରତ ମନ୍ତ୍ରୀ ଓ ଅମଲା,
ରୂପାନ୍ତର ଓଡ଼ିଶାରେ ପରା
ଆଉ କେହି ରହିବେନି ଭୋକିଲା ।। ୨ ।।
ପ୍ରଶାସନ ଚଳଚଞ୍ଚଳ
ସ୍କୁଲ ସବୁ ରୂପାନ୍ତର ପାଇଁ,
ବାବୁଭାୟାଙ୍କ ପିଲା ପଢ଼ନ୍ତି
ଘରୋଇ ପବ୍ଲିକ ସ୍କୁଲକୁ ଯାଇ ।। ୩ ।।
ଆଧୁନିକତାର ସ୍ପର୍ଶ ପାଏ
ପ୍ରମୁଖ ସର୍କାରୀ ସ୍ୱାସ୍ଥ୍ୟାଳୟ,
ମିଳିବା ଲାଗି ସେଠାରେ
ସ୍ୱାସ୍ଥ୍ୟସେବା ବିଶ୍ୱସ୍ତରୀୟ ।। ୪ ।।
ତେବେ ସଙ୍କଟ କାଳେ ଆମର
ବଡ଼ ବଡ଼ ନେତା ଓ ହାକିମ,
ଘରୋଇ ଡାକ୍ତରଖାନା ମୁହାଁନ୍ତି
ଲଭିବାକୁ ଚିକିତ୍ସା ଉତ୍ତମ ।। ୫ ।।
କୃଷିର ଉନ୍ନତି ଲାଗି ଆମେ
ପରା ଦେଶରେ ପୁରସ୍କୃତ,
ସବୁ କିଛି ଆମଦାନୀ କରି
ହେଉଅଛୁ କେତେ ଉଲ୍ଲସିତ ।। ୬ ।।
ଚାଷୀ ସଶକ୍ତ ହୋଇଛି ବୋଲି
ଆମେ କରି ଚାଲିଛୁ ଗର୍ଜନ,
ତା’ର ଆତ୍ମହତ୍ୟା କଳଙ୍କରେ
ଭୂଲୁଣ୍ଠିତ ଆମର ସମ୍ମାନ ।। ୭ ।।
ବେକାରୀ ତାତିରେ ଜଳିପୋଡ଼ି
ଛଟପଟ ହେଉଛି ଯୁବସମାଜ,
ବେରୋଜଗାରର ଚିନ୍ତା ଘାରି
ତାଙ୍କ ଜୀବନ କରୁଛି ଅସହଜ ।। ୮ ।।
ମହିଳାଙ୍କୁ ସମର୍ଥ କରିବା ଲାଗି
କେତେଯେ ଯୋଜନା ହେଉଚି,
ତଥାପି ମହିଳା ସମାଜ ତା’ର
ହକ୍ ପାଇଁ ରାସ୍ତାକୁ ଯାଉଚି ।। ୯ ।।