ଭକ୍ତ ଚରଣ ସାହୁ, ଯାଜପୁର, ୧୮ ଫେବୃଆରୀ ୨୦୨୩
ଚାଇଁକି ଚିକା ଚାଇଁକି ଚିକା
ସଞ୍ଜ ଯୋଗୁ ଦିନ ପଡିଲା ଫିକା
ମନ୍ଦିରେ ବାଜିଲା ଘଣ୍ଟି ।
ପ୍ରାର୍ଥନା ସାରିକି
ସଜ ହୋଇଲାଣି
ପଢିବାକୁ ଆମ ବଣ୍ଟି ।।
ଚାଇଁକି ଚିକା ଚାଇଁକି ଚିକା
ବିଲେଇ କପାଳୁ ଛିଡିଲା ଶିକା
ଗୋଡ଼କୁ ତାହାର ଛାଟି ।
ଇଡି ଯାଇଥିବା
କ୍ଷୀରକୁ ବିଲେଇ
ସବୁତକ ଦେଲା ଚାଟି ।।
ଚାଇଁକି ଚିକା ଚାଇଁକି ଚିକା
ଜ୍ୱର ଥଣ୍ଡା ହେଲେ ନେଇଯା ଟୀକା
ଦୂର ହୋଇଯିବ ରୋଗ ।
ଅବହେଳା କଲେ
ଜାଣିଥା ବାବୁରେ
ଦୁଃଖକୁ କରିବ ଭୋଗ ।।
ଚାଇଁକି ଚିକା ଚାଇଁକି ଚିକା
ଯେଉଁ ତେଲ ଭାଜି ହେଉଛି ବିକା
ଖାଇବ ନାହିଁଟି ତାକୁ ।
କଥା ନମାନିକି
ଖାଇବ ଯଦିରେ
ଥିବ ରୋଗ ଭୋଗିବାକୁ ।।
ଚାଇଁକି ଚିକା ଚାଇଁକି ଚିକା
କହୁଛି ଶୁଣରେ ଭିକୁ ଓ ଭିକା
ମନ ଦେଇ ପାଠ ପଢ ।
ନିଜ ଭବିଷ୍ୟତ
ଗଢିବା ପାଇଁକି
ନିଜକୁ ନିଜେହିଁ ଗଢ଼ ।।