ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୫ ମାର୍ଚ୍ଚ ୨୦୨୪
ଚଉକି ରହିଛି ଚାହିଁ
ତା’ ଉପରେ ବସିବା ପାଇଁ
ତେବେ ବସିବା ଲୋକ ଠେଇଁ
ତା’ର କିଛି ମତଲବ ନାହିଁ || ୧ ||
ଲୋକଟି ଡେଙ୍ଗା ନା ବାଙ୍ଗରା
ରଙ୍ଗ ତା’ର ସାବନା କି ଗୋରା
ହୋଇପାରେ ସିଏ ଗୁଙ୍ଗା ବା ମୁଖୁରା
ସେଥିରେ ଚୌକିର କିଛି ଯାଏଆସେ ନାହିଁ || ୨ ||
କେଉଁ ଲୋକ ଦୀର୍ଘ ସ୍ଥାୟୀ
ଆଉ କିଏ ଅତ୍ୟନ୍ତ ଅସ୍ଥାୟୀ
ବସିବା ସମୟ କଥା ଜାଣିବା ପାଇଁ
ଚୌକିର ସାମାନ୍ୟତମ ଆଗ୍ରହ ବା କାହିଁ || ୩ ||
ଚଉକି ଅଛି ଗୋଟିଏ
ବସିବାକୁ ଲୋକ ପୁଳାଏ
ସେଥିରେ ବସିବ କିଏ
ଟଣାଓଟରା ଲାଗିଥାଏ ବସିବା ପାଇଁ || ୪ ||
ଚଉକି ରହିଛି ସ୍ଥିର
ନିର୍ଲିପ୍ତ ଓ ନିର୍ବିକାର
ତେବେ ବସିବା ଲୋକ ଅଧୀର
ସେମାନଙ୍କ ପ୍ରତି ଚୌକିର କିଛି ଆସକ୍ତି ନାହିଁ || ୫ ||