ଜୟଶ୍ରୀ ଦାସ, ବାଲେଶ୍ଵର, ୧୦ ଫେବୃଆରୀ ୨୦୨୩
ଡଗରା ବେଳାକୁ ଚୁମି ଚୁମି ଯାଏ
ଊର୍ମି ମାଳା
କି ଗୀତ ଗାଉଛି ଝାଉଁ ବଣ ଆଜି
ଛୁଇଁ ମେଖଳା ।୦।
ଭାଙ୍ଗି ଦିଏ ଢେଉ ବାଲି କଙ୍କଡ଼ାର
କୁଡ଼ିଆ ଘର
ପୁଣି ଗଢୁଥାଏ ପୁଣି ଭାଙ୍ଗି ଯାଏ
ନାହିଁ ତା’ ଡର
କେତେ କୁନି ପାଦେ ଦଳି ବି ଦିଅନ୍ତି
ଚଗଲା ପିଲା । ୧।
ଚାରୁ କାରୁ କଳା କେତେ କୁଟିକମ
ଜାଣେ ତ ସିଏ
ନାଲି କଙ୍କଡା ର ନୀଳ ରକ୍ତ ପୁଣି
ଚାଲାଣ ହୁଏ
ଶିପ ଶାମୁକାରେ କି ସୁନ୍ଦର ଦିଶେ
କୁଆଁରୀ ବେଳା ।୨।
କାହିଁ ଗଲା ଆମ ନୌବାଣିଜ୍ୟ ଦିନ
ଯାଇଛି ସରି
କର୍ପୂର ଯାଇଛି କନା ତ ପଡ଼ିଛି
ଆମେ ଭିକାରୀ
ମୋତି ମାଣିକରେ ବୋଝେଇ ଜାହାଜ
କରୁନି ଖେଳା ।୩।