ଜୟଶ୍ରୀ ଦାସ, ବାଲେଶ୍ଵର, ୩ ଜାନୁୟାରୀ ୨୦୨୩
ମୋର ତ ଦକ୍ଷିଣ ଦୁଆରି ଘର
ସୁବର୍ଣ୍ଣରେଖା ଓ ସମୁଦ୍ର ଦି’ ପାଖେ
କାହାକୁ କରିବି ପର ????
ସାଗରକୁ ମୁଁ ତ ନାଗର ଭାବୁଚି
ନଈକୁ ଭାବୁଚି ସହୀ
କିଏ ମୋର ପର କିଏ ଆପଣାର
ମୋତେ କିନ୍ତୁ ଜଣାନାହିଁ ll
ଡଗର ହାତରେ ଡଗରା କହିଚି
ଯିବାକୁ ତା’ ପାଶେ ଧାଇଁ
ପୁରୁବା ପବନ ପାଟଶାଢ଼ୀଟିଏ
ରଖିଛି ସିଏ ମୋ ପାଇଁ ll
ନାଲିକଙ୍କଡ଼ାର ନାଲି ଅଳତାରେ
ରଙ୍ଗେଇ ଦେବ ମୋ ପାଦ
ବଦଳରେ ତାକୁ ଶୁଣେଇ ଦେବି ମୁଁ
କବିତାରୁ ଦୁଇପଦ ll
ନୀଳତରଙ୍ଗର ନୀଳବସା ମୁଦି
ପିନ୍ଧେଇ ଦେବ ସେ ମୋତେ
କାନରେ କହିବ “କିଶୋରୀ ପ୍ରିୟା ମୋ”
କେତେ ଭଲ ପାଏ ତୋତେ ll
ଏ ପାଖରେ ମୋତେ ଚେତେଇ ଦେଉଚି
ବାରମ୍ବାର ଗାଆଁ ନଈ
ବଡ଼ ଦଗାଦିଆ ସାଗର-ନାଗର
ତା’ କଥା ମାନିବୁ ନାହିଁ ll
ଗାଈ କି ମାରିଲେ ମଲି ସୁଧି ଜନେ
ଗାଈ ବି ମାରିଲେ ମଲି
ଦକ୍ଷିଣ ଦୁଆରି ଘରକରି ସତେ
କେତେ ବଡ଼ ଭୁଲ କଲି ll