ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୦ ଜୁନ୍ ୨୦୨୩
ଦର୍ଶନ ତୁମର ମିଳୁ କି ନ ମିଳୁ
ସପନରେ ଆସୁଥାଅ
ଅନ୍ଧକାର ମୋର ହୃଦ ମନ୍ଦିର କୁ
ଆଲୋକିତ କରୁଥାଅ.
ଆଶୀଷ ପ୍ରଭୁ ହେ ଦିଅ କି ନ ଦିଅ
ପାଶେ ଠିଆ ହୋଇ ଥାଅ
କୋଳକୁ ତୁମର ନିଅ କି ନ ନିଅ
ସ୍ମିତ ହାସ କରୁଥାଅ.
ମସ୍ତକେ ମୋହର ତୁମ ମହାବାହୁ
ରଖ କି ନ ରଖ ହରି
ମୁହଁରେ ମୋହର ପଡି ଯାଉ ଥାଉ
ତୁମର ସ୍ନାହାନ ବାରି.
ତୋ ଅବଢ଼ା ଡାଲି ପେଟ ଭରି ମୋତେ
ମିଳୁ କି ନ ମିଳୁ ନାଥ
କଣାଏ ନିର୍ମାଲ୍ୟ ପାଇବାକୁ ପ୍ରଭୁ
ବଢିଯାଉ ମୋର ହାତ.
ପତିତପାବନ ବାନା ରୁ ଖଣ୍ଡିଏ
ପଡ଼ୁ କି ନ ପଡ଼ୁ ବେକେ
ସେହି ବାନା ସଦା ନାଚିଯାଉଥାଉ
ମୋର ନୟନ ପଲକେ.
ତୋର ପାଦ ପଦ୍ମ ଛୁଆଁ ଆହେ ପ୍ରଭୁ
ଟିକେ ପାଏ କି ନ ପାଏ
ତୋ ବଡ଼ ଦାଣ୍ଡରେ ଶରଧା ବାଲିରେ
ସଦା ମୁହିଁ ଗଡ଼ୁଥାଏ.