ଜୟଶ୍ରୀ ଦାସ, ବାଲେଶ୍ଵର, ୨୮ ଜାନୁଆରୀ ୨୦୨୩
ଧୂଳି ଚିପୁଡିଲେ ରକତ ଝରଇ
ମେଦିନୀପୁର ଗାଆଁ
ପ୍ରଥମ ସ୍ୱାଧୀନ ସଂଗ୍ରାମୀ ସେଇ
ଜୟୀ ରାଜଗୁରୁ ନାଆଁ ।୦।
ହରେକୃଷ୍ଣପୁର ଶାସନରେ ଘର
ବାପ ଚାନ୍ଦ ରାଜଗୁରୁ
ମାଆ ହାରାମଣି ବୀରା ସେ ରମଣୀ
ତାଙ୍କୁ ମୋ ପ୍ରଣାମ ଦୂରୁ
ଜେଜେ ତ ପଣ୍ଡିତ ରାଣୀଙ୍କର ଗୁରୁ
ଗଦାଧର ତାଙ୍କ ନାଆଁ ।୧।
ଖୋର୍ଦ୍ଧାଗଡ଼ର ରାଜା ହୋଇଥିଲେ
ଦ୍ୱିତୀୟ ମୁକୁନ୍ଦ ଦେବ
ତାଙ୍କ ମହାମନ୍ତ୍ରୀ ଥିଲେ ଜୟକୃଷ୍ଣ
ଧରିଲେ ଯୁଦ୍ଧରେ ନାଵ
ଇଂରେଜ କବଳୁ ରଖିବେ ଗଡ଼କୁ
ମା’ ବରୁଣେଇ ସାହା ।୨।
ଘେରିଲେ ଗଡ଼କୁ ଇଂରେଜ ସୈନ୍ୟ
ସଙ୍ଗରେ ଗୋଳା କମାଣ
ଭାଙ୍ଗିଲେ ପାଚେରୀ ପଶିଲେ ଭିତରେ
ଘମାଘୋଟ ଯୁଦ୍ଧ ଜାଣ
ଶହ ଶହ ସୈନ୍ୟ ମୃତ୍ୟୁ ଲଭିଲେ
ବାନ୍ଧିଲେ ଜୟୀଙ୍କୁ ଆହା ।୩।
ଗୁପ୍ତପଥେ ଲୁଚି ପଳେଇଲେ ରାଜା
ଇଂରେଜ ସୈନ୍ୟଙ୍କୁ ଡରି
ବନ୍ଦୀ ହୋଇ ଜୟୀ ଜେଲରେ ରହିଲେ
ଅନ୍ତରେ କୋହକୁ ଧରି
ଚାଲିଲା ବିଚାର ସବୁ ଦୋଷ ମୋର
ରାଜା ମୋ ନିର୍ଦୋଷ ଆହା !! ୪।
ବିଚାର ଶେଷରେ ମେଦିନୀପୁରରେ
ଗଛେ ଗୋଡ଼ ବାନ୍ଧି ଦେଇ
ଛାଡିଦେଲେ ଡାଳ ଚିରିଗଲା ଦେହ
ପୂରା ଦୁଇଫାଳ ହୋଇ
ପ୍ରଥମ ସହିଦ ଭାରତବର୍ଷରେ
ବରଗଛ ସାକ୍ଷୀ ତାହା । ୫।