ସସ୍ମିତା ପଣ୍ଡା, କଟକ, ୧୨ ଜାନୁଆରୀ ୨୦୨୩
ଦୁଇ ନିଆଁ ସମାହାରେ ଦୁନିଆ
ଏନ୍ତୁଡିରୁ ପୁଣି ଜୁଇର ନିଆଁ
ଦୁଇଟି ଫଳ ସେ ପାପ ପୂଣ୍ୟର
ଦୁଇଟି କଥା ସେ ସତ୍ୟ ମିଥ୍ୟାର
ଦୁଇଟି ପାଦ ସେ ବାଟ ଅବାଟ
ଦୁଇଟି ଶବ୍ଦ ସେ ଦୂର ନିକଟ
ଦୁଇଟି ଘଟଣା ଆସିବା ଯିବା
ଦୁଇଟି ଆଧାର ବିଦ୍ୟା ଅବିଦ୍ୟା
ଦୁଇଟି ସୂତ୍ରରେ ଯୋଗ ବିୟୋଗ
ଦୁଇଟି ସଂଖ୍ୟାରେ ଗୁଣନ ଭାଗ
ଦୁଇଟି ପର୍ଯ୍ୟାୟ ପ୍ରାପ୍ତି ଅପ୍ରାପ୍ତି
ଦୁଇଟି ଫଳ ସେ ତୃପ୍ତି ଅତୃପ୍ତି
ଦୁଇଟି ପଥ ସେ ଭାବ ଅଭାବ
ଦୁଇଟି କାବ୍ୟରେ ଶବ୍ଦ ନିଃଶବ୍ଦ
ଦୁଇଟି ନିର୍ଯ୍ୟାସ ଦୁଃଖ ଓ ସୁଖ
ଦୁଇଟି ପୃଷ୍ଠାରେ ଲକ୍ଷ୍ୟ ଅଲକ୍ଷ୍ୟ
ଦୁଇଟି ଛନ୍ଦରେ ସ୍ବସ୍ତି ଅସ୍ବସ୍ତି
ଦୁଇଟି ପତ୍ରରେ ଭକ୍ତି ଅଭକ୍ତି
ଦୁଇଟି ମନ୍ତବ୍ୟ ଭିନ୍ନ ଅଭିନ୍ନ
ଦୁଇଟି ପକ୍ଷରେ ଅମା ଓ ଜହ୍ନ
ଦୁଇଟି ଦୁଆର ଅମୃତ ବିଷ
ଦୁଇଟି କଳ୍ପନା ଯଶ ଅଯଶ
ଦୁଇଟି କୋଠରୀ କର୍ମ ଅକର୍ମ
ଦୁଇଟି ଚିଜ ସେ କାଚ କାଞ୍ଚନ
ଦୁଇଟି ପବନ ଶ୍ବାସ ପ୍ରଶ୍ବାସ
ଦୁଇଟି ଦିଗରେ ନିଷ୍ଠା ଆଳସ୍ୟ
ଦୁଇଟି ନାଆରେ ଦୁଇଟି ପାଦ
ଗୋଟିଏ ନାଆଁରେ ଦୁନିଆ ଶବ୍ଦ ।
ଏକ ନିକିତିର ଦୁଇ ପାଖରେ
ସବୁକୁ ସେଇଠି ତଉଲ କରେ ।