ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୩ ମଇ ୨୦୨୩
ଏ ମାଟିରେ ଜନ୍ମ
ସନ୍ଥ ଭୀମଭୋଇ ଗାଇଲେ ମାନବିକ ଗୀତ,
ନର୍କରେ ପକାଇ ନିଜ ଜୀବନକୁ
ଚିନ୍ତିଲେ ଜଗତ ହିତ.
ଏ ମାଟିରେ ଜନ୍ମ
ଦୀନଜନ ବନ୍ଧୁ ଗୋପବନ୍ଧୁ ଉତ୍କଳ ମଣି,
ଦେଶ ର ସ୍ୱରାଜ ପାଇଁ ତ୍ୟାଗ କଲେ
ନିଜ ଦେହ ଅସ୍ଥି ଗଣି.
ଏ ମାଟିରେ ଜନ୍ମ
ଉତ୍କଳ ଗୌରବ ବାରିଷ୍ଟର ମଧୁସୂଦନ,
ନିଜର ସ୍ୱାର୍ଥ କୁ ପଛରେ ପକାଇ
ରଖିଲେ ଜାତିର ମାନ.
ଏ ମାଟିରେ ଜନ୍ମ
ବକ୍ସି ଜଗବନ୍ଧୁ ଖୋର୍ଦ୍ଦା ପାଇକ ସେନାପତି,
ପ୍ରଥମ ସ୍ୱାଧୀନ ସଂଗ୍ରାମ ରଚିଲେ
ସଦର୍ପେ ଫୁଲାଇ ଛାତି.
ଏ ମାଟିରେ ଜନ୍ମ
ବୀର ବାଳକ ସେ ବାଜି ରାଉତ ଯାର ନାମ,
ଛାତି ପତାଇଲା କମାଣ ଆଗରେ
ପାଳିଲା ସଂଗ୍ରାମୀ ଧର୍ମ.
ଏ ମାଟିରେ ଜନ୍ମ
ଶିଳ୍ପୀ ଧର୍ମପଦ ମାତ୍ର ବାର ବର୍ଷ ବୟସେ,
କୋଣାର୍କ ମନ୍ଦିର ଚୁଳି ମାରିଦେଲା
ଲେଖାଅଛି ଇତିହାସେ.
ଏ ମାଟିରେ ଜନ୍ମ
ଝଡର ଈଗଲ ମାଟି ମୂର୍ତ୍ତିକାର ବିଜୁ ବାବୁ,
ମୋ ଓଡିଶା କହି ଓଡ଼ିଆଙ୍କ ପାଇଁ
କରି ଦେଖାଇଲେ ସବୁ.