ସସ୍ମିତା ପଣ୍ଡା, କଟକ, ୨୪ ଡିସେମ୍ବର ୨୦୨୨
କେବେକେବେ…………..
ଆଖିଚାପି ଶୋଇପଡେ ଅତୀତର ଦୁଃଖ
ଉଜୁଡା ବୟସର କରୁଣ କ୍ଷେତରେ
କୁଢ଼କୁଢ଼ ଅଭିମାନ
ଅନ୍ଧାରର ତୁଚ୍ଛା ସ୍ବପ୍ନ
ଶାନ୍ତ ସଂଘର୍ଷର ଉପକଥା ଏକାଏକା କରେ ଶୋକ ।।
ବେଳେବେଳେ …………..
ରାଣ ଦିଏ ସାନିସଞ୍ଜ ମଉନ ଭାଷାରେ
ମିଠାମିଛ ଅଣ୍ଟାଭିଡେ ସମୟ ପାଖରେ
ଚିହ୍ନଦିଆ କଥା ଯେତେ
ଶବ୍ଦ ପୁଣି ଫେରେ କେତେ
ଦୋଦୋଚିହ୍ନା ଦୋଛକି ଦୁଆରେ ।
ଆଉ କେବେ…………
ଫେରିବାର ପାଦଚିହ୍ନ ଲମ୍ବିଯାଏ ବେଳାଭୂମି ତଟେ
ଝରିଯାଏ ଲୁହପୁଣି ପୂଣ୍ୟ ତୀର୍ଥ ଘାଟେ
ନବଜାତ ତୃଷ୍ଣା
ନିଶବ୍ଦର ଶବ୍ଦ କଥା
ନିଗିଡା ସେ ନୀରବତା ଇତିର ଆରମ୍ଭରେ ଫୁଲହୋଇ ଫୁଟେ ।।