ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୩ ଅପ୍ରେଲ ୨୦୨୪
ଫେରାଇ ଦିଅ ମୋ ଶୈଶବ ହେ ପ୍ରଭୁ
ନାଶ ମୋର ଅହଂକାର
ଦିଅ ମୋତେ ସେହି ନିଷ୍ପାପ ହୃଦୟ
ନିଷ୍କପଟ ହସ ଧାର
ଆହେ ମୋ କଳା ଠାକୁର
ଜଳ ପରି ମୋତେ କରହେ ତରଳ
ମୋ ବିବେକ ସୂତ୍ରଧର ।
କଥାରେ ମୋହର ଭର କୋମଳତା
ଛନ୍ଦ କପଟ ବିହୀନ
ଦୃଷ୍ଟିକୁ ମୋହର କରହେ ସରଳ
ସଭିଙ୍କୁ ଦେଖେ ସମାନ
ଆହେ ମୋ କଳା ଠାକୁର
ହୃଦୟ ମୋହର କର ଏହି ପରି
ନ କରେ ବାଛ ବିଚାର ।
ଶିଶୁର ମନଟେ ଦିଅ ଜଗନ୍ନାଥ
ମାନେ ପିତା ମାତା କଥା
ଗୁରୁ ଗୁରୁଜନ ଦେବତାଙ୍କ ପାଶେ
ନଇଁ ଯାଉ ଥାଉ ମଥା ।
ଆହେ ମୋ କଳା ଠାକୁର
ହାତ ମୋ ହଲାଇ ସଭିଙ୍କର ମୁଖେ
ଫୁଟାଏ ମୁଁ ହସ ଧାର ।