ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୩ ସେପ୍ଟେମ୍ବର ୨୦୨୪
ତୁମ ଗାଆଁ ପୋଖରୀ ତୁଠ
ଗାଆଁ ରାସ୍ତାର ଗୋରୁ ଗୋଠ
ଚାଟଶାଳୀ ଘୋଷା ପାଠ
ରାଧାକୃଷ୍ଣ ଗୌଡ଼ୀୟ ମଠ
ତା’ର ସୁବାସିତ ଚନ୍ଦନ କାଠ
ଭାଗବତ ଟୁଙ୍ଗୀ ପୀଠ
ପାର୍ବଣର ଚଣ୍ଡୀ ପାଠ
ପ୍ରିୟାର କଅଁଳ ଓଠ
ଆଜି ମନକୁ କରୁଛି ବସଉଠ ।। ୧ ।।
ଆମ ଗାଆଁ ନଦୀ ଘାଟ
ଅଙ୍କାବଙ୍କା ସରୁ ବାଟ
ବିସ୍ତୀର୍ଣ୍ଣ ହରିତ ପାଟ
କୁମ୍ଭାଟୁଆର କୁହାଟ
ସପ୍ତାହନ୍ତ ପରିବା ହାଟ
ଚାହାଳୀ ଗୁରୁଙ୍କ ଛାଟ
କଳିଙ୍ଗ ଅପେରା ନାଟ
ଅଳସେ ନଥାଏ ଆକଟ
ମନକୁ କରୁଛି ଆଜି ଭାରି ଉଚ୍ଚାଟ ।। ୨ ।।
କହିକି ପାରିବୁ ମିତ ?
ଗାଆଁ ମାଟିର ମହକ
ସହରଠୁଁ କାହିଁକି ହେଉଛି ଅଧିକ ?