ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୭ ଜୁନ୍ ୨୦୨୩
ଗାଁ’ ଠାକୁରାଣୀ ମୁହଁଟି ଲାଗଇ
ମୋ ବୋଉର ମୁହଁ ପରି
ସିନ୍ଦୁର ବୋଳା ସେ କମନୀୟ ମୁହଁ
ମୋ ଦୁଃଖ ନିଅଇ ହରି.
ଅପଲକ ନେତ୍ର ସେ ଦେବୀ ମା’ର
ଚାହିଁ ଦିଏ ମୋତେ ଯେବେ
ଭୟ ଭ୍ରାନ୍ତି ମୋର ଦୂର ହୋଇ ଯାଏ
ଲାଗେନା ଯାତନା ଲବେ.
ତା’ର ପିନ୍ଧା ଶାଢ଼ୀ ଦେଖିଦେଲେ ମୁହିଁ
ଘୋଡ଼ାଇ ହେବାକୁ ମନ
ସେ ଶାଢ଼ୀର ଛୁଆଁ ମୋ ଦେହ ପାଇଲେ
ସ୍ଥିର ହୁଏ ମୋର ଧ୍ୟାନ.
ଠାକୁରାଣୀଙ୍କର ସ୍ନାହାନ ଜଳରୁ
ଟିକେ ପାଇ ଦେଲେ ତୁଣ୍ଡେ
ଅନ୍ତରାତ୍ମା ମୋର ଯାଏ ପୂତ ହୋଇ
କୁ ଚିନ୍ତା ରହେନା ଦଣ୍ଡେ.
ଦେବୀ ମା’ ମୁଣ୍ଡରେ ମୁକୁଟ ପିନ୍ଧିଲେ
ସେ ଲାଗେ ବ୍ରହ୍ମାଣ୍ଡ ରାଣୀ
ଭାବେ ମୁଁ ଅନ୍ତରେ ମୋ ଗାଁ’ ଦେବୀ
ଜଗତ ହିତ କାରିଣୀ.