ଭକ୍ତ ଚରଣ ସାହୁ, ଯାଜପୁର, ୨୪ ଅଗଷ୍ଟ ୨୦୨୩
ଯନ୍ତ୍ରପାତି ସାଥେ
ଚନ୍ଦ୍ରୟାନ-ତିନି
ଉଡ଼ିଗଲା ସାଇଁ ସାଇଁ ।
ଜହ୍ନ ମାମୁଁ ଦେଶେ
ଭଣଜା ଭାରତ
ପହଞ୍ଚି ଗଲାରେ ଯାଇଁ ।।
ଗର୍ବ କଲୁ ଏଥିପାଇଁ ।
ଏ ବିରଳ ଦୃଶ୍ୟ
ଦେଖିଲୁ ଟିଭିରେ
ଆମେ ସବୁ ତଳେ ଥାଇଁ ।।
ଚନ୍ଦ୍ର ପୃଷ୍ଠେ ଆଜି
ଉଡିଲା ତ୍ରିରଙ୍ଗା
ଫର ଫର ହୋଇ ଗର୍ବେ ।
‘ଭାରତ ମାତାକି
ଜୟ’ ଧ୍ୱନି ଦେଇ
ଆନନ୍ଦ ଲଭିଲୁ ସର୍ବେ ।।
ଧନ୍ୟ ହେଲୁ ଜନ୍ମି ଭବେ ।
ଲାଗିଲା ଯେମିତି
ସାମିଲ ହୋଇଲୁ
ନୂତନ ଜାତୀୟ ପର୍ବେ ।।
ସାରା ବିଶ୍ୱ ଆଜି
ଚମକି ପଡିଲା
ସଫଳତା ଦେଖି ଆମ ।
ଇଛା କରୁଥିଲେ
କାହିଁ କେତେ ଦେଶ
ବୁଦ୍ଧି ଦେଲା ନାହିଁ କାମ ।।
କରମ ହୋଇଲା ବାମ ।
ସଫଳତା ପାଇଁ
ବିଶ୍ୱ ଇତିହାସେ
ରହିଲା ମୋ ଦେଶ ନାମ ।।
ଯେଉଁ ସଫଳତା
ପାଇଁ ଗର୍ବ କରୁ
ୟା’ ପଛେ ଯାହାଙ୍କ ହାତ ।
ସେହି ବୈଜ୍ଞାନିକ
ମାନଙ୍କୁ ପ୍ରଣାମ
ଦେଉଛି, ନୁଆଇଁ ମାଥ ।।
ଧନ୍ୟ ମୋ ଭାରତ ମାତ ।
ଗରବ କରୁଛି
ତାହାରି କୋଳରେ
ହୋଇଛି ବୋଲି ମୁଁ ଜାତ ।।