ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୨୮ ଅପ୍ରେଲ ୨୦୨୩
ଗରବ ଲାଗୁଛି ମୁଁ ଜଣେ ଓଡ଼ିଆ
ଜଗନ୍ନାଥ ମୋ ଠାକୁର (ଘୋଷା)
କ୍ଷେତ୍ର ମଧ୍ୟେ ସାର ଶ୍ରୀକ୍ଷେତ୍ର ମାଟିରେ
ଠିଆ ହୋଇଛି ମନ୍ଦିର
ନାମ ତା’ର ଶ୍ରୀମନ୍ଦିର
ଶ୍ରୀମନ୍ଦିର ଶୀର୍ଷେ ପତିତପାବନ
ଉଡ଼ୁ ଅଛି ଫର ଫର.
ମୁଣ୍ଡ ଟେକି ଚାଲେ ଓଡ଼ିଆ ବୋଲି ମୁଁ
ମହାନ ମୋ ଇତିହାସ
ଚଣ୍ଡାଶୋକ ଧର୍ମ ମାର୍ଗ ବାଛି ନେଲେ
ଦେଖି ଏ ଜାତି ସାହସ
ସବୁରେ ଜାତି ଉତ୍କର୍ଷ
ପଥର ଏଠାରେ କଥା କହୁଅଛି
କୋଣାର୍କ ସାକ୍ଷୀ ତାହାର.
ଜଗନ୍ନାଥ ମୋ—–
ଆତ୍ମସ୍ୱାଭିମାନେ ଶ୍ରେଷ୍ଠ ଏହି ଜାତି
“ମଧୁ” “ବିଜୁ” ଯେ ଦୃଷ୍ଟାନ୍ତ
ଏ ଜାତି ସମ୍ମାନ ସ୍ୱାଭିମାନ ପାଇଁ
ଚେଷ୍ଟିତ ଥିଲେ ଶତତ
ତାଙ୍କ ପାଇଁ ମୁଁ ଗର୍ବିତ
ଏ ଜାତିର ଗୋତ୍ର ପୁରୁଷ ସେମାନେ
ଅଲିଭା ତାଙ୍କ ସ୍ଵାକ୍ଷର.
ଜଗନ୍ନାଥ ମୋ—–
ମୋ ଜାତି ସଭ୍ୟତା ସଂସ୍କୃତି ଗାଉଛି
ସମଦର୍ଶିତା ର ଗୀତି
ସାକ୍ଷୀ ଏ ଜାତିର ପ୍ରଭୁ ଦାରୁ ବ୍ରହ୍ମ
ତୁଟାନ୍ତି ସକଳ ଭ୍ରାନ୍ତି
ରଚୁଛନ୍ତି ବିଶ୍ୱପ୍ରୀତି
ମୋ ଜାତି ରାଷ୍ଟ୍ରର ଅମଉଳା ପୁଷ୍ପ
ଭଣ୍ଡାର ସେ ସୁରଭିର.
ଜଗନ୍ନାଥ ମୋ—–
ଓଡିଶା ମାଟିରେ ଜନମ ଲଭିଛି
କୋଟି ଜନ୍ମ ପୂଣ୍ୟ ଫଳେ
ମୋର ମାଟି ମା’ ଆରାଧନା ପାଇଁ
ହୃଦ ନଇବେଦ ଢାଳେ
ଦେହ ମିଶିବ ତା କୋଳେ
ଯେତେ ଦିନ ମୋତେ ରଖିଥିବେ ନାଥ
କରିବି ଜୟ ଜାତିର.
ଜଗନ୍ନାଥ ମୋ—–
**********
ମୋ ଜାତି ପାଇଁ ମୋର ବାରମ୍ବାର ବାରମ୍ବାର ପ୍ରଣତି
ବନ୍ଦେ ଉତ୍କଳ ଜନନୀ