ଜୟ କୁମାର ମିଶ୍ର, ଗଜପତି, ୨୬ ଜୁଲାଇ ୨୦୨୪
ଦିନେ ହରି, ହର, କରିଲେ ବିଚାର
ଭ୍ରମଣ କରିବା ପାଇଁ,
ବାହନରେ ଚଢ଼ି, ଗଲେ ଉଡ଼ି ଉଡ଼ି
ଆକାଶ ପଥରେ ବାହି ।
ବିଷ୍ଣୁଙ୍କ ବାହନ, ଖଗ ଶ୍ରେଷ୍ଠ ଜାଣ
ଗୁରୁଡ଼ ପକ୍ଷୀଟି ସେହି,
ହରଙ୍କ ବାହନ, ବୃଷଭଟି ପୁଣ
ଘେନି ଗଲେ, ଦୁଇ ସାଇଁ ।
ଲକ୍ଷ୍ମୀପତି ଶିରେ, ସୁବର୍ଣ୍ଣ ମକୁଟ
ଭୋଳା ବାବା ମୁଣ୍ଡେ ନାଗ,
ଜଟା ମସ୍ତକରେ, ଫଣାତୋଳି ବାରେ
ବଢ଼ାଏ ଦୁଷ୍ଟାମୀ ବେଗ ।
ନମାନେ କାହାକୁ, ହେୟଭାବି ତାଙ୍କୁ
ଭାବି, ନିଜେ ବଲିଆର
ଖେଳ ଖେଳୁଥାଏ, ଫୁତ୍କାରଟି ଦିଏ
ବଦମାସୀ କାରବାର ।
ହୋଇ ଲଣ୍ଡ ଭଣ୍ଡ, ହୁଅଇ ଉଦଣ୍ଡ,
ସୀମା ସରହଦ ଡିଏଁ,
ଅନୀତିକୁ ନୀତି, ଆପଣାଇ ଅତି
କାହାକୁ ମାନେନି ସିଏ ।
ସବୁକଥା ଦେଖି, ଗରୁଡ଼ ଅସୁଖୀ
ଭାବଇ ବହୁତ କଥା,
ଦେଖି ଡରୁଥିଲା, ଲୁଚି କରେ ବୁଲା
(ଆଜି) ବହପେ ତୋଳଇ ମଥା ।
ଦେଖିଲେ ଯାହାକୁ, ଖୋଜି ତା ଗାତକୁ
ଆତ୍ମ ଗୋପନରେ ଘରେ,
କାହା ପାଇଁ ଏହି, ବଡ଼ିମା ଦେଖାଇ ମୁହଁ ଟାଣପଣେ କରେ ।
ଆଜି ତା’ସାହସ, ବହପରେ ଶ୍ୱାସ
କହି, ସହି ହୁଏ ନାହିଁ,
ବହୁ ଭାବିଚିନ୍ତି, ଗରୁଡ଼ ପୁଛନ୍ତି
ଷଣ୍ଢ କାନେ ସବୁ କହି ।
ବୃଷଭ କହିଲେ, ଶୁଣ ବାରେ ଭଲେ
ବୁଝିକି ପାରୁନ ତୁମେ,
ପାର୍ବତୀଙ୍କ ପତି, ପାଶେ ତାର ସ୍ଥିତି
ଏଥିପାଇଁ ଅଛି ଭ୍ରମେ ।
ଭୁଲେ ସ୍ଥାନ, କାଳ, ଭୁଲେ ନିଜ ବଳ
ଭୁଲିଯାଏ ନିଜ ସ୍ଥାନ,
ମଥା ପରେ ନେତ୍ର, ରଖି ସେ ଉତ୍ପାତ
କରେ ତୁଚ୍ଛ ହେୟଜ୍ଞାନ ।
ଅଳପ ବୁଦ୍ଧିଆ, ଅତି ଅଳ୍ପକିଆ
ଧରାକୁ ମଣଇ ସରା,
ଭୁଲି ଇନ୍ଦ୍ର ଚନ୍ଦ୍ର, ଭୁଲି ଭଲ ମନ୍ଦ
କରଇ ନାନା ଯାତରା ।
ମୁନିବଙ୍କ ନାମେ, ଅବାଟରେ ଭ୍ରମେ
ଅନ୍ଧ ଦିଗନ୍ତକୁ ଛୁଇଁ,
ବିଶ୍ୱାସରେ ବିଷ, ଦେଇ ସେ ଅବଶ୍ୟ
କାଳ କାଟେ ସ୍ୱାର୍ଥ ଧ୍ୟାୟୀ ।
ଏକା ସେହି ବୀର, ନିଜେ ଭାବି ହିରୋ
କରେ ଭୟଭୀତ ସଦା,
ପାପ ପୁଣ୍ୟ ଭାବ, ଦୟା ମାୟା ସର୍ବ
ପାଶରୁ କରିସେ ପଦା ।
ଭାବି ବାହୁବଳି, ନିଆଁ ସଙ୍ଗେ ଖେଳି
ଏଡ଼େ, ଶିଷ୍ଟ ଶିଷ୍ଟାଚାର,
ଯେସନ ଚାତୁରୀ, ନିମ୍ନ କର୍ମଚାରୀ
କରୁଥଏ କାରବାର ।
ଗରୁଡ଼ ବୁଝିଲା, ସବୁତ ଜାଣିଲା
ଅସଲ ରହସ୍ୟ କଥା,
ଭୋଳା ବାବା ପାଇଁ, ବିଷଧର ବାଇ
ପରକୁ ମଣୁଛି ବୃଥା ।
ଛାଡ଼ୁ ତା’ଆସନ, ଦେବି ତାକୁ ପାନ
ଶିଖାଇବି ବୁଦ୍ଧି ବାଟ,
କରି ମହାଦୁଃଖୀ, ଖୋଲି ଦେବି ଆଖି
ଧରାଇବି ତାକୁ ଖଟ ।
ତେବେ ସେ ଜାଣିବ, ଚେତନା ଲଭିବ
ହେଜିବଟି ଭଲ, ମନ୍ଦ
ଯିବ ମୋହ ମାୟା, ହୋଇବ ଛାନିଆଁ
ହଜିବ ଆଖିରୁ ନିଦ ।
ଚଞ୍ଚୁରେ ଉଠାଇ, ଫୋଫାଡ଼ିବି ମୁହିଁ
ଖୋଜିଲେ ମିଳିବ ନାହିଁ,
ଡାକିଲେ ଆତୁରେ, ବିକଳର ସ୍ଵରେ
ରଖିବେନି ଭାବଗ୍ରାହୀ ।
ପୂଜ୍ୟ ଭୋଳା ବାବା, ବିଶ୍ୱାସ କରିବା
ମିଳଇ ନାଗକୁ ବଳ,
ବିଶ୍ୱାସ ଘାତକ, ଗ୍ରାସେ ପ୍ରାଣୀ ଭେକ
ହୋଇ ଭକତଙ୍କ କାଳ ।